ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ମାମଲା ଗତ ଦୁଇ ଦିନ ହେବ କମ୍ ରହିଛି। ୧୩ଟି ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି। ଦିଲ୍ଲୀ, ଛତିଶଗଡ଼, ମହାରାଷ୍ଟ୍ର, ପଂଜାବ, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶ ସମେତ ୧୩ଟି ରାଜ୍ୟରେ ଦୈନକି ନୂଆ ମାମଲା କମିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ଆଜି କହିଛନ୍ତି। ଅନ୍ୟପକ୍ଷେ ବିହାର, ରାଜସ୍ଥାନ, ହରିୟାଣା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ବଢ଼ୁଛି।
ଏପ୍ରିଲ ୨୪ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୫,୨୯୪ ଥିବା ବେଳେ ମେ’ ୨ରେ ଏହା ୨୪,୨୫୩କୁ ଖସି ଆସିଛି। ସେହିପରି ମହାରାଷ୍ଟ୍ରରେ ଏପ୍ରିଲ ୨୪ରେ ଦୈନିକ ସଂକ୍ରମଣ ୬୫,୪୪୨ ଥିବାବେଳେ ଏପ୍ରିଲ ୩୦ରେ ସଂକ୍ରମଣ ମାମଲା ୬୨,୪୧୭କୁ ଖସି ଆସିଥିଲା। ଏବେ ମହାରାଷ୍ଟ୍ର ସଂକ୍ରମଣ ୫୦ ହଜାର ତଳକୁ ରହିଛି। ଏପ୍ରିଲ ୨୯ରେ ଛତିଶଗଡ଼ରେ ୧୫,୫୮୩ ମାମଲା ଚିହ୍ନଟ ହୋଇଥିବା ବେଳେ ମେ’ ୨ରେ ସଂକ୍ରମଣ ମାମଲା ୧୪,୦୮୭ ଥିଲା। ଡାମନ୍ ଏବଂ ଡିୟୁ, ଗୁଜରାଟ, ଝାଡ଼ଖଣ୍ଡ, ଲଦାଖ୍, ଲକ୍ଷଦ୍ବୀପ, ମଧ୍ୟପ୍ରଦେଶ, ପଂଜାବ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ସଂକ୍ରମଣ କମିଛି।
ତେବେ ଛତିଶଗଡ଼ର ଦୁର୍ଗ, ରାୟପୁର, ରାଜନନ୍ଦଗାଓଁ, ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା, ଗୁନା, ଶଜାପୁର, ଲଦାଖ୍ର ଲେହ, ତେଲେଙ୍ଗାନାର ନିର୍ମଲ ଜିଲ୍ଲାରେ ଗତ ୧୫ ଦିନ ହେବ ସଂକ୍ରମଣ କମିଛି। ମହାରାଷ୍ଟ୍ରର ୧୨ଟି ଜିଲ୍ଲାରେ ମଧ୍ୟ ସଂକ୍ରମଣ କମିଛି। ୧୨ ରାଜ୍ୟରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଛି ଏବଂ ସେଗୁଡ଼ିକ ହେଉଛି ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁ। ୭ ରାଜ୍ୟରେ ସକ୍ରିୟ ମାମଲା ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ରହିଛି ଏବଂ ୧୭ ରାଜ୍ୟରେ ସକ୍ରିୟ ମାମଲା ୫୦ ହଜାରରୁ ଅଧିକ ରହିଛି। ୨୨ ରାଜ୍ୟରେ ପଜିଟିଭ୍ ହାର ୧୫ ପ୍ରତିଶତରୁ ଅଧିକ ରହିଛି ଏବଂ ୯ ରାଜ୍ୟରେ ପଜିଟିଭ୍ ହାର ୫ରୁ ୧୫ ପ୍ରତିଶତ ରହିଛି । ୫ ରାଜ୍ୟରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି।