କରୋନା ଆତଙ୍କ : ତିରୁପତି, ଶିରିଡ଼ିରେ ବି କଟକଣା

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜି ମନ୍ଦିର ଓ ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର ଏଥିରୁ ବାଦ୍‌ ପଡ଼ିନି। ଏହି ଉଭୟ ମନ୍ଦିରରେ ବ୍ୟାପକ କଟକଣା ଜାରି କରାଯାଇଛି। ମନ୍ଦିରରେ କେତେକ ଗୁରୁତ୍ବପୂର୍ଣ୍ଣ ଦେବନୀତିକୁ ବନ୍ଦ କରି ଦିଆଯାଇଛି।

କରୋନା ଭାଇରସର ମୁକାବିଲା ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ଦେବନୀତିରେ ବହୁ ପରିବର୍ତ୍ତନ ଆଣିଛି। ଭକ୍ତମାନଙ୍କ ମନ୍ଦିର ଦର୍ଶନ ନେଇ ଅନେକ କଟକଣା ଜାରି ହୋଇଛି। ଆସନ୍ତା ମାର୍ଚ୍ଚ ୧୭ରୁ ଭକ୍ତମାନଙ୍କୁ ଆଉ ଦେବତା ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ ବୋଲି ଟିଟିଡି ସୂଚନା ଦେଇଛି। ପୂର୍ବରୁ ଠାକୁର ଦର୍ଶନ ପାଇଁ ଯେଉଁଭଳି ସହସ୍ରାଧିକ ଭକ୍ତ ସର୍ପିଳ ପଥରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ, ସେଭଳି ବ୍ୟବସ୍ଥାକୁ ସାମୟିକ ପାଇଁ ବନ୍ଦ କରି ଦିଆଯିବ। ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ କରୋନା ଭାଇରସ ରୋକିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ମନ୍ଦିରର ଅନେକ ଗୁରୁତ୍ବପୂର୍ଣ୍ଣ ନୀତି ବନ୍ଦ କରିବାକୁ ଯାଉଛନ୍ତି ବୋଲି ଟିଟିଡି ନିର୍ବାହୀ ଅଧିକାରୀ ଅନୀଲ କୁମାର ସିଂଘଲ କହିଛନ୍ତି। ଦେବ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଏବଂ ସମୟ ସୀମାକୁ ହ୍ରାସ କରାଯିବ ବୋଲି ସିଂଘଲ କହିଛନ୍ତି। ଭକ୍ତମାନେ ସାଥୀରେ ଭୋଟର ପରିଚୟ ପତ୍ର, ଆଧାର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍‌ସ ଆଣିଲେ ସେମାନଙ୍କୁ ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯିବ। ଟୋକନ୍‌ ପ୍ରଦାନ ପାଇଁ ସ୍ବତନ୍ତ୍ର କାଉଣ୍ଟର ପ୍ରତିଷ୍ଠା କରାଯିବ।

ସୂଚନାଯୋଗ୍ୟ ଯେ ତିରୁପତି ମନ୍ଦିରରେ ପ୍ରତି ଘଣ୍ଟାରେ ୩,୫୦୦ରୁ ୪,୦୦୦ ଭକ୍ତଙ୍କ ସମାଗମ ହୋଇଥାଏ। ବିଶେଷ ମୁହୂର୍ତ୍ତରେ ଏହି ସଂଖ୍ୟା ୫,୫୦୦ ଅତିକ୍ରମ କରିଥାଏ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦର୍ଶନ ନିମନ୍ତେ ଭକ୍ତଙ୍କ ସଂଖ୍ୟା ଓ ସମୟ ସୀମାକୁ ହ୍ରାସ କରାଯିବାକୁ ମନ୍ଦିର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ମନ୍ଦିରରେ ବିଶେଷ ପୂଜା, ସହସ୍ର କଳସ ଅଭିଷେକ, ବସନ୍ତ ଉତ୍ସବ ଭଳି ଦେବନୀତିକୁ ମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।

ସେହିଭଳି ସିରିଡ଼ିସ୍ଥିତ ଶ୍ରୀ ସାଇବାବା ସଂସ୍ଥାନ ପକ୍ଷରୁ କରୋନା ଭାଇରସ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆସନ୍ତ‌ା କେଇ ସପ୍ତାହ ପାଇଁ ଭକ୍ତମାନେ ମନ୍ଦିର ପରିଦର୍ଶନରେ ନ ଆସିବାକୁ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି। ମନ୍ଦିର ପରିସରରେ ଭିଡ଼ ନିୟନ୍ତ୍ରଣ କରିବାକୁ ଭକ୍ତମାନଙ୍କ ମନ୍ଦିର ପ୍ରବେଶ ଉପରେ ସାମୟିକ ରୋକ ଲଗାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, କରୋନା ଭାଇରସର ମୁକାବିଲା କରିବା ପାଇଁ ଆସନ୍ତା କେତେ ସପ୍ତାହ ପାଇଁ ଭକ୍ତମାନେ ମନ୍ଦିର ଦର୍ଶନରେ ନ ଆସିବାକୁ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ନିର୍ବାହୀ ଅଧିକାରୀ ଅରୁଣ ଡୋଙ୍ଗ୍ରି ନିବେଦନ କରିଛନ୍ତି। ତେବେ ଭକ୍ତମାନଙ୍କ କରୋନା ପରୀକ୍ଷା ପାଇଁ ମନ୍ଦିର ପରିସରରେ ୧୧ଟି ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଲଗାଯାଇଛି ବୋଲି ଡୋଙ୍ଗ୍ରି ସୂଚନା ଦେଇଛନ୍ତି। ସାଇବାବା ହସ୍ପିଟାଲ ମଧ୍ୟରେ ସ୍ବତନ୍ତ ପୃଥକ ୱାର୍ଡ ସୃଷ୍ଟି କରାଯାଇଛି।

ସମ୍ବନ୍ଧିତ ଖବର