ସରକାରୀ କର୍ମଚାରୀଙ୍କ ଉପରେ କରୋନା ମାଡ଼ : ଦେଢ଼ବର୍ଷ ପର୍ଯ୍ୟନ୍ତ ବଢ଼ିବନି ମହଙ୍ଗା ଭତ୍ତା

ବାକିଆ ବର୍ଦ୍ଧିତ ରାଶି ବି ମିଳିବନି, ୧୨ ମାସ ଯାଏ ମାସକୁ ଦିନକର ଦରମା କଟିପାରେ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସହିତ ଲକ୍‌ଡାଉନ୍ ଘୋଷଣାର ପ୍ରଭାବ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଉପରେ ପଡ଼ିଛି। କେନ୍ଦ୍ର ସରକାର ଚଳିତବର୍ଷ ଜାନୁଆରି ପହିଲାରୁ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାରେ କୌଣସି ବୃଦ୍ଧି କରିବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। ରାଜ୍ୟ ସରକାରମାନେ ମଧ୍ୟ ସମାନ ପନ୍ଥା ଆପଣାଇବେ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ରଖିଛନ୍ତି। ଅର୍ଥାତ୍ ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କର ମହଙ୍ଗା ଭତ୍ତା ୧୮ ମାସ ବଢ଼ିବ ନାହିଁ। ଉପଭୋକ୍ତା ମୂଲ୍ୟସୂଚୀକୁ ଆଧାର କରି ସରକାରୀ କର୍ମଚାରୀଙ୍କୁ ଦରଦାମ ବୃଦ୍ଧିରୁ ସୁରକ୍ଷା ଦେବା ପାଇଁ ମହଙ୍ଗା ଭତ୍ତା ପ୍ରଦାନ କରାଯାଇଥାଏ।

ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବର୍ଷକୁ ଦୁଇ ଥର ସଂଶୋଧନ ହୋଇଥାଏ। ଗୋଟିଏ ଜାନୁଆରି ପହିଲା ଏବଂ ଅନ୍ୟଟି ଜୁଲାଇ ପହିଲାରେ ହୋଇଥାଏ। ତେଣୁ ସରକାର ଗତ ଜାନୁଆରିରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ନଦେବାକୁ ନିଷ୍ପତ୍ତି ନେଇଥିବାରୁ ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନେ ୨୦୨୦ ଜାନୁଆରି, ୨୦୨୦ ଜୁଲାଇ ଏବଂ ୨୦୨୧ ଜାନୁଆରିକୁ ମିଶାଇ ୩ଟି ଡୋଜ୍‌ର ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ନାହିଁ। ସରକାରଙ୍କ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଆଜି ଜାରି ହୋଇଛି। ୨୦୨୧ ଜୁନ୍ ୩୦ ତାରିଖରେ ମହଙ୍ଗାଭତ୍ତା ସଂଶୋଧନ କରାଯିବ। ଏହାପରେ ୨୦୨୧ ଜୁଲାଇ ପହିଲାରୁ କର୍ମଚାରୀ ଏବଂ ପେନସନ ଭୋଗୀମାନେ ନୂଆ ମହଙ୍ଗା ଭତ୍ତା ପାଇବେ। କିନ୍ତୁ ଏ ବାବଦ ପିଛିଲା ଅର୍ଥ ଦିଆଯିବ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପକ୍ଷରୁ କୁହାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଯଦି ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ମହଙ୍ଗାଭତ୍ତାକୁ ୧୮ ମାସ ପର୍ଯ୍ୟନ୍ତ ନ ବଢ଼ାନ୍ତି ତାହେଲେ ଏ ବାବଦରେ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ ବୋଲି ଦୁଇ ଜଣ ବରିଷ୍ଠ ଅଧିକାରୀ କହିଛନ୍ତି। କେନ୍ଦ୍ର ସରକାର ପ୍ରାୟ ୩୭,୫୩୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରମାନେ ପ୍ରାୟ ୮୨,୫୬୬ କୋଟି ଟଙ୍କା ସଞ୍ଚୟ କରିବେ ବୋଲି ଆକଳନ କରାଯାଉଛି। କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀମାନଙ୍କର ଦରମାକୁ ୧୨ ମାସ ପର୍ଯ୍ୟନ୍ତ କାଟଛାଣ୍ଟ କରିବା ଉପରେ ମଧ୍ୟ ଏବେ ବିଚାର କରୁଛନ୍ତି। ପ୍ରତିମାସରେ ଗୋଟିଏ ଦିନର ଦରମା କାଟିବା ନେଇ ବିଚାର କରାଯାଉଛି। ଯଦି ଏହାକୁ କାର୍ଯ୍ୟକାରୀ କରାଯାଏ ତାହେଲେ କର୍ମଚାରୀମାନଙ୍କର ଦରମା ବର୍ଷକ ପର୍ଯ୍ୟନ୍ତ କମିଯିବାର ସମ୍ଭାବନା ରହିଛି।

କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଏବେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଗତ ଜାନୁଆରିରୁ କର୍ମଚାରୀମାନେ ପିଛିଲା ଭାବେ ୨୧ ପ୍ରତିଶତ ମହଙ୍ଗା ଭତ୍ତା ପାଇଥାନ୍ତେ। କିନ୍ତୁ କେନ୍ଦ୍ର କ୍ୟାବିନେଟରେ ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ନିଆଯିବାର ଅଳ୍ପ କିଛି ଦିନ ପରେ ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍ କାର୍ଯ୍ୟକାରୀ କରାଯାଇଥିଲା। ଏଥିଯୋଗୁଁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇ ପାରି ନଥିଲା। ତେଣୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଏବେ ବି ସେହି ପୁରୁଣା ଅର୍ଥାତ୍ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦେଶରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ସେହି ସମୟରେ କର୍ମଚାରୀମାନଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତାରୁ ସରକାରୀ କର୍ମଚାରୀମାନଙ୍କୁ ଅଧା ପ୍ରଦାନ କରିଥିବା ବେଳେ ଆଉ ଅଧା ସରକାର ରଖୁଥିଲେ। କିନ୍ତୁ ପରେ ମୋରାରଜୀ ଦେଶାଇଙ୍କ ସରକାର ଆସିବା ପରେ କର୍ମଚାରୀମାନଙ୍କ ବାକିଆ ମହଙ୍ଗା ଭତ୍ତାକୁ ଦେଇ ଦିଆଯାଇଥିଲା। କିନ୍ତୁ କର୍ମଚାରୀମାନଙ୍କର ମହଙ୍ଗାଭତ୍ତା ବୃଦ୍ଧିକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିବା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା ବୋଲି ତଥ୍ୟାଭିଜ୍ଞ ମହଲ ମତ ରଖିଛନ୍ତି।

କେନ୍ଦ୍ର ସରକାର ଏହାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ୧୮ ମାସ ପାଇଁ ସ୍ଥଗିତ ରଖିବା ପରେ ରାଜ୍ୟ ସରକାରମାନେ ମଧ୍ୟ ସମାନ ପନ୍ଥା ଆପଣାଇ ପାରନ୍ତି ବୋଲି କୁହାଯାଉଛି। କାରଣ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ଘୋଷଣା କରିବା ପରେ ରାଜ୍ୟ ସରକାରମାନେ ସମାନ ପରିମାଣର ମହଙ୍ଗାଭତ୍ତା ସେମାନଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ପ୍ରଦାନ କରିଥାନ୍ତି। ଓଡ଼ିଶା ସରକାର ଯଦି ଏହି ନିୟମକୁ କାର୍ଯ୍ୟକାରୀ କରନ୍ତି ତାହେଲେ ରାଜ୍ୟ ସରକାର ଏ ବାବଦରେ ପ୍ରାୟ ୧୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର