କରୋନା ମହାମାରୀ: ଓଡ଼ିଶାରେ ୬,୫୬୨ ଶିଶୁ ଅନାଥ

ସୁପ୍ରିମକୋର୍ଟରେ ଏନ୍‌ସିପିସିଆର୍‌ ପକ୍ଷରୁ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟ (ଏପ୍ରିଲ ୧, ୨୦୨୦ ରୁ ୨୦୨୧ ଜୁଲାଇ ୨୩ ତାରିଖ) ମଧ୍ୟରେ ଓଡ଼ିଶାରେ ସମୁଦାୟ ୬ ହଜାର ୫୬୨ ଶିଶୁ ଅନାଥ ହୋଇଛନ୍ତି। ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର୍‌) ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି।

ଚକିତ କଲା ଭଳି ପ୍ରଦତ୍ତ ଏହି ତଥ୍ୟ ଅନୁସାରେ ଓଡ଼ିଶାରେ ଏପ୍ରିଲ ୧, ୨୦୨୦ରୁ ଜୁଲାଇ ୨୩, ୨୦୨୧ ସୁଦ୍ଧା ୮୧୮ ଜଣ ଶିଶୁ ଉଭୟ ବାପା ଓ ମାଆଙ୍କୁ ହରାଇଥିବା ବେଳେ ୫ ହଜାର ୭୪୨ ଶିଶୁ ବାପା ଓ ମାଆ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ଏହି ଅବଧି ମଧ୍ୟରେ ରାଜ୍ୟରେ ପରିତ୍ୟକ୍ତ ଶିଶୁଙ୍କ ସଂଖ୍ୟା ୨ ରହିଛି। ତେବେ ଗତ ଜୁନ ପହିଲାରେ ଏନ୍‌ସିପିସିଆର୍‌ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୋଭିଡ-୧୯ ମହାମାରୀରେ ଓଡ଼ିଶାରେ ଅନାଥ ହୋଇଥିବା ଏବଂ ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ଶିଶୁମାନଙ୍କ ମୋଟ ସଂଖ୍ୟା ୨୬ ବୋଲି ଦର୍ଶାଯାଇଥିଲା। ସେହିଭଳି ଏପ୍ରିଲ ୧, ୨୦୨୦ ରୁ ଜୁନ ୫, ୨୦୨୧ ପର୍ଯ୍ୟନ୍ତ ଓଡ଼ିଶାରେ ଏକ ହଜାର ୭୩ ଜଣ ଶିଶୁ ଅନାଥ ହୋଇଥିବା ନେଇ ଏନ୍‌ସିପିସିଆର୍‌ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଦ୍ବିତୀୟ ସତ୍ୟପାଠରେ କୁହାଯାଇଥିଲା।

ଗୁରୁତ୍ବପୁର୍ଣ୍ଣ କଥା ହେଉଛି, ଏନ୍‌ସିପିସିଆର୍‌ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଅନାଥ ଶିଶୁ ମାମଲାରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ବିତୀୟ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୩ ହଜାର ୫୮୯ ଶିଶୁ ଅନାଥ ହୋଇଛନ୍ତି। ତୃତୀୟ ସ୍ଥାନରେ ଆନ୍ଧ୍ର ପ୍ରଦେଶ ରହିଛି। ଆନ୍ଧ୍ରପ୍ରଦେଶରେ ୬ ହଜାର ୨୧୦ ଶିଶୁ ଅନାଥ ହୋଇଛନ୍ତି। ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଅନାଥ ଶିଶୁମାନଙ୍କ ସଂଖ୍ୟା ୭୫ ହଜାର ୩୨୦ ବୋଲି ସତ୍ୟପାଠରେ ଉଲ୍ଲେଖ ଅଛି। ଏଥିମଧ୍ୟରୁ ୬ ହଜାର ୮୫୫ ଶିଶୁ ଉଭୟ ବାପା ଓ ମାଆଙ୍କୁ ହରାଇଥିବା ବେଳେ ୬୮ ହଜାର ୨୧୮ ଶିଶୁ ବାପା କିମ୍ବା ମାଆଙ୍କୁ ହରାଇଛନ୍ତି। ଏହା ସହ ଦେଶରେ ପରିତ୍ୟକ୍ତ ଶିଶୁମାନଙ୍କ ସଂଖ୍ୟା ୨୪୭ ରହିଛି ବୋଲି ଉଲ୍ଲେଖ କରାଯାଇଛି।

ଏନ୍‌ସିପିସିଆର୍‌ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ୩୦ ପୃଷ୍ଠାର ସତ୍ୟପାଠରେ ଶିଶୁମାନଙ୍କ ପିତାମାତା କେବଳ କୋଭିଡ-୧୯ରେ ମୁତ୍ୟୁବରଣ କରିନାହାନ୍ତି, ସେମାନଙ୍କ ମୃତ୍ୟୁର ଅନ୍ୟ କାରଣ ବି ଥାଇପାରେ ବୋଲି ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର