ଘାରିଲା କରୋନା ଭୟ: ବ୍ରିଟେନକୁ ବିମାନ ବାତିଲ, ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଉଡ଼ିବନି ବିମାନ

ପୂର୍ବରୁ ଆସିଥିବା ଯାତ୍ରୀଙ୍କ କରୋନା ଟେଷ୍ଟ ହେବ

ନୂଆଦିଲ୍ଲୀ: ଲଣ୍ଡନରେ କରୋନାର ଭୟଙ୍କର ନୂଆ ରୂପ ଦେଖିବାକୁ ମିଳିଛି। ପୁରୁଣା କରୋନା ଭୂତାଣୁ ତୁଳନାରେ ଏହା ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ କରିବା କ୍ଷମତା ରଖିଥିବାରୁ ସମଗ୍ର ବିଶ୍ବ ପାଇଁ ଏହି ଖବର ଏବେ ଆତଙ୍କର କାରଣ ପାଲଟିଛି। କରୋନା ସଂକ୍ରମଣକୁ ରୋକିବା ଲାଗି ଏକାଧିକ ଦେଶ ଲଣ୍ଡନକୁ ବିମାନ ଉଡ଼ାଣକୁ ବାତିଲ କରିବା ଆରମ୍ଭ କରିଦେଇଛନ୍ତି। ଏହି ଦେଶ ତାଲିକାରେ ଆଜି ଭାରତ ସାମିଲ ହୋଇଛି। ଭାରତ ସରକାର ୨୨ ତାରିଖ ମଧ୍ୟରାତ୍ରିରୁ ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଭାରତ ଓ ବ୍ରିଟେନ ମଧ୍ୟରେ ଯାତ୍ରୀଙ୍କ ପାଇଁ ବିମାନ ସେବା ଉପଲବ୍ଧ ହେବନାହିଁ। ଏଥିସହିତ ବିମାନ ବାତିଲ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ରିଟେନରୁ ଭାରତକୁ ବିମାନରେ ଯାତ୍ରା ଆରମ୍ଭ କରିସାରିଥିବା ଯାତ୍ରୀମାନେ ଆମ ଦେଶର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ସେମାନଙ୍କର ଆର୍‌ଟିପିସିଆର ଟେଷ୍ଟ କରାଯିବ। ଯେଉଁମାନେ କରୋନା ପଜିଟିଭି ଚିହ୍ନଟ ହେବେ ସେମାନଙ୍କୁ ସରକାରଙ୍କ ସଂଗରୋଧ କେନ୍ଦ୍ରରେ ରଖାଯିବ। ତେବେ ଅନ୍ୟମାନଙ୍କୁ ୭ ଦିନ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ଯାତ୍ରୀମାନଙ୍କ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା ନଜର ରଖିବେ। ଏହାପୂର୍ବରୁ କାନାଡ଼ା, ଜର୍ମାନୀ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ବେଲଜିୟମ, ଡେନମାର୍କ, ଇଟାଲି ଆଦି ଦେଶ ବ୍ରିଟେନ ସହିତ ବିମାନ ସେବା ବାତିଲ କରିସାରିଥିବା ବେଳେ ଆଜି ଭାରତ ସମେତ ହଂକଂ ଆଦି ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବଡ଼ଦିନ ଓ ନୂଆବର୍ଷ ଛୁଟି କଟାଇବା ପାଇଁ ଅନେକ ପ୍ରବାସୀ ଭାରତୀୟ ବ୍ରିଟେନରୁ ଭାରତକୁ ଆସିବା ସମ୍ଭାବନା ଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକଟ କରି ଯାତ୍ରା କରି ପାରି ନଥିବା ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ଗୁଡ଼ିକ ସେମାନଙ୍କ କୋହଳ ପୁନଃବୁକିଂ ନୀତିରେ ଟିକଟ ବୁକ୍ କରିବା ସୁବିଧା ପ୍ରଦାନ କରିବେ। ଭାରତ ଓ ବ୍ରିଟେନ ମଧ୍ୟରେ ଏବେ ସପ୍ତାହକୁ ୬୭ଟି ବିମାନ ଚଳାଚଳ କରୁଛି। ୪ଟି ଏୟାରଲାଇନ୍ସ ଦ୍ବାରା ଏହି ବିମାନ ଉଡ଼ାଣ କରାଯାଉଛି। ସେମାନଙ୍କ ମଧ୍ୟରେ ବ୍ରିଟିସ ଏୟାରୱେଜ୍‌ର ସର୍ବାଧିକ ୨୯ଟି ବିମାନ ଉଡ଼ାଣ ଭରୁଥିବାବେଳେ ଏୟାର ଇଣ୍ଡିଆର ୨୩ଟି, ଭର୍ଜିନ ଆଟଲାଣ୍ଟିକ୍‌ର ୮ଟି ଏବଂ ଭିସ୍ତାରାର ୭ଟି ବିମାନ ରହିଛି।

ସମ୍ବନ୍ଧିତ ଖବର