ଦିଲ୍ଲୀରେ କରୋନା ଆତଙ୍କ : ସଚେତନ କରୁଛନ୍ତି ପ୍ରବାସୀ ଓଡ଼ିଆ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦିଲ୍ଲୀ ସରକାର ମହାମାରି ଘୋଷଣା କରିଛନ୍ତି। ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଏଭଳି ଭୟଙ୍କର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଥିବା ବେଳେ ଏଥିରେ ପ୍ରବାସୀ ଓଡ଼ିଆମାନେ ସତର୍କତା ଅବଲମ୍ବନ କରିବା ସହିତ ପଦକ୍ଷେପ ସ୍ବରୂପ ସଚେତନ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରେ ଭୟଭୀତ ନହୋଇ ପ୍ରତିଶେଧକ ଉପାୟ ଅବଲମ୍ବନ କରିବା ପାଇଁ ସେମାନଙ୍କ ଦ୍ବାରା ଉଦ୍ୟମ କରାଯାଉଛି। କେନ୍ଦ୍ର ତଥା ଦିଲ୍ଲୀ ସରକାର ନିୟମିତ ବ୍ୟବଧାନରେ କରୋନା ଭୂତାଣୁ ସଂକ୍ରମିତ ନହେବା ସମ୍ପର୍କରେ ଯେଉଁସବୁ ଗାଇଡଲାଇନ୍ ଜାରି କରିଛନ୍ତି, ଦିଲ୍ଲୀରେ ବସବାସ କରୁଥିବା ଶତାଧିକ ଓଡ଼ିଆ ସେଗୁଡ଼ିକର ପାଳନକୁ ନେଇ ସକ୍ରିୟ ରହିଥିବା ବେଳେ ଅଧିକ ସତେତନ ହୋଇ ପ୍ରତିଶେଧକ ଉପାୟକୁ ଆପଣାଇବା ପାଇଁ ଅନ୍ୟମାନଙ୍କୁ ପରାମର୍ଶ ଦେଉଛନ୍ତି। ହଉସଖାସ ଜଗନ୍ନାଥ ମନ୍ଦିରର ବ୍ୟାପକ ସଚେତନତା ବ୍ୟବସ୍ଥା କରାଯାଇଛି। ମନ୍ଦିର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କ କହିବା ଅନୁସାରେ କରୋନା ପ୍ରକୋପ ଯୋଗୁଁ ମନ୍ଦିରରକୁ ଆସୁଥିବା ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନଙ୍କର ସଂଖ୍ୟାରେ ହ୍ରାସ ପାଇଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ଅପରପକ୍ଷେ ହଉସଖାସ ଜଗନ୍ନାଥ ମନ୍ଦିରରେ ଓଡ଼ିଶାରୁ ଯେଉଁମାନେ ଦିଲ୍ଲୀ ତଥା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ ପାଇଁ ଜଗନ୍ନାଥ ମନ୍ଦିରରେ ରହଣୀ ପାଇଁ ଆଗୁଆ ବୁକିଂ କରିଥିଲେ, ସେମାନେ ମଧ୍ୟ ବୁକିଂ ବାତିଲ କରିଦେଇଛନ୍ତି। ସୂଚନାଯୋଗ୍ୟ ହଉସଖାସ ଜଗନ୍ନାଥ ମନ୍ଦିରରେ ଓଡ଼ିଶାରୁ ଦିଲ୍ଲୀ ଆସୁଥିବା ଏକକାଳୀନ ୧୦୦ ଜଣ ଲୋକଙ୍କ ରହଣି ବ୍ୟବସ୍ଥା ରହିଛି। ସେହିଭଳି ଦିଲ୍ଲୀର ତ୍ୟାଗରାଜ ନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ହ୍ରାସ ପାଇଛି। ଦିଲ୍ଲୀରେ କରୋନା ପ୍ରକୋପ ଯୋଗୁଁ ଦିଲ୍ଲୀବିଶ୍ବଦ୍ୟାଳୟ, ଜେଏନୟୁ, ଜାମିୟା ମିଲିୟା ଇସଲାମିୟା, ଆଇଆଇଟି ତଥା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ କଲେଜ ମାନଙ୍କରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିବା ଯୋଗୁଁ ଏହି ସବୁ ସଂସ୍ଥାରେ ଅଧ୍ୟୟନରତ ଶତାଧିକ ଓଡ଼ିଆ ବିଦ୍ୟାର୍ଥୀମାନେ ମନ୍ଦିର ହଷ୍ଟେଲରେ ରହି ଅଧ୍ୟୟନ କରିବା ଉଚିତ ମଣୁଛନ୍ତି। ଅନଲାଇନ ମାଧ୍ୟମରେ ତଥା ଶିକ୍ଷକମାନଙ୍କ ସହିତ ଇ-ମେଲ ଓ ହ୍ବାଟସଆପ ଜରିଆରେ ଛାତ୍ରଛାତ୍ରୀ ମାନେ ଯୋଗାଯଗରେ ରହୁଛନ୍ତି। ହଷ୍ଟେଲ ଗୁଡ଼ିକୁ ନିୟମିତ ସାନିଟାଇଜ କରାଯାଉଛି। ପ୍ରବାସୀ ଓଡ଼ିଆମାନେ ଏହି କରୋନା ପ୍ରକୋପ ନେଇ ନିଜକୁ ଅଧିକ ମାତ୍ରାରେ ସଚେତନ ରହିବା ପାଇଁ ପ୍ରୟାସ କରୁଛନ୍ତି ତଥା ହେଲ୍ଥ ଆଡଭାଇଜରି ସମ୍ପର୍କରେ ଅବଗତ ମଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର