କରୋନା ଆତଙ୍କ: ଯୁଦ୍ଧସ୍ତରରେ ମୁକାବିଲା କରିବ ଭାରତ

କେରଳକୁ ଟପିଗଲା ମହାରାଷ୍ଟ୍ର, ଭାରତରେ ୮୪ ଆକ୍ରାନ୍ତ, ମହାରାଷ୍ଟ୍ରରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ୧୨୦ରୁ ଅଧିକ ରାଷ୍ଟ୍ରରେ ଘାତକ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ବିଶ୍ବବ୍ୟାପୀ ୧,୩୫,୦୦୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଆଜି ସୁଦ୍ଧା ପ୍ରାୟ ୫୫୫୧ ଲୋକଙ୍କ ମୃତ୍ୟୁ ଘଟିଲାଣି। ଭାରତରେ ୮୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସରକାର ଯୁଦ୍ଧସ୍ତରରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସ୍ଥଳସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆଜି ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଆଉ ୨ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ କରୋନା ଭାଇରସ୍‌ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୪ ରହିଛି ଏବଂ ସେମାନଙ୍କ ସଂପର୍କରେ ଆସିଥିବା ୪ ହଜାର ଲୋକଙ୍କୁ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ଦିଲ୍ଲୀରେ ଗତକାଲି ଜଣେ ୬୮ ବର୍ଷୀୟା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିଲା ଏବଂ ସେଠାରେ ମୋଟ ୭ଟି ମାମଲା ରହିଛି। ହରିୟାଣାରେ ୧୪ ଜଣ କରୋନା ସଂକ୍ରମିତ ଥିବା ବେଳେ ସମସ୍ତେ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। କେରଳରେ ୧୯ ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ଆଜି ମହାରାଷ୍ଟ୍ର କେରଳକୁ ଟପି ଯାଇ ସଂକ୍ରମିତ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଆଜି ମହାରାଷ୍ଟ୍ରର ବୁଲ୍‌ଧାନା ହସ୍ପିଟାଲରେ ଜଣେ ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। ତେବେ ଏହି ବ୍ୟକ୍ତି ଜଣକ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡ଼ିତ ଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି ଡାକ୍ତରମାନେ କହିଛନ୍ତି। ଉତ୍ତରପ୍ରଦେଶରେ ୧୧ଟି କରୋନା ମାମଲା ସ୍ପଷ୍ଟ ହୋଇଛି ଏବଂ ସେମାନଙ୍କ ମଧ୍ୟରେ ଜଣେ ବିଦେଶୀ ଅଛନ୍ତି। କର୍ଣ୍ଣାଟକରେ ୬ ଜଣ କରୋନା ସଂକ୍ରମିତ ଥିବା ବେଳେ ରାଜସ୍ଥାନରେ ୩ ଜଣ ଏବଂ ତେଲେଙ୍ଗାନାରେ ୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରମାନେ ମଧ୍ୟ କଟକଣା କଡ଼ାକଡ଼ି କରିଛନ୍ତି। ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି। ଆଜି ପଶ୍ଚିମବଂଗ ଏବଂ ଗୋଆ ସରକାର ମଧ୍ୟ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସବୁ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି। କର୍ଣ୍ଣାଟକ, ପଂଜାବ ଏବଂ ମହାରାଷ୍ଟ୍ରରେ ମଲ୍‌, ଜିମ୍‌ ଏବଂ ସିନେମା ହଲ୍‌ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟରେ ସରକାରୀ ଡାକ୍ତର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ଛୁଟି ରଦ୍ଦ କରାଯାଇଛି।

ଭାରତରେ ୧୦ ଜଣ ସୁସ୍ଥ ହେଲେ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ଉତ୍ତରପ୍ରଦେଶର ଏବଂ ରାଜସ୍ଥାନ ଓ ଦିଲ୍ଲୀରୁ ଜଣେ ଲେଖାଏଁ କରୋନା ଭାଇରସ୍‌ରୁ ସୁସ୍ଥ ‌ହୋଇଛନ୍ତି। ପୂର୍ବରୁ କେରଳର ୩ଜଣ କରୋନା ଭାଇରସ୍‌ କବଳରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। କରୋନା ଭାଇରସ୍‌ ନେଗେଟିଭ୍‌ ଥିବା ଜାଣିବା ପାଇଁ ସମସ୍ତ ପରୀକ୍ଷା କରାଯିବା ପରେ ଉକ୍ତ ୧୦ ଜଣଙ୍କୁ ଏବେ କରୋନାମୁକ୍ତ ଘୋଷଣା କରାଯାଇଛି। ପ୍ରୋଟକଲ୍‌ ଅନୁଯାୟୀ ଜଣେ ବ୍ୟକ୍ତି ଯିଏ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବେ ସେ ନିର୍ଦ୍ଦିଷ୍ଟ ସମୟ ପାଇଁ ହସ୍ପିଟାଲ୍‌ ଆଇସୋଲେସନ୍‌ରେ ରହିବେ। ୧୪ ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଭାଇରସ୍‌ ଅଛି କି ନା’ ତାହା ଜାଣିବାପାଇଁ ପୁଣିଥରେ ପରୀକ୍ଷା କରାଯିବ। ଯଦି ଏହା ମଧ୍ୟ ନେଗେଟିଭ୍‌ ଆସିଲା ତେବେ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ଏକ ଟେଷ୍ଟ କରାଯିବ। ଯଦି ଏହି ‌ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଲା ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ଭାଇରସ୍‌ ମୁକ୍ତ ବୋଲି ଘୋଷଣା କରାଯିବ। ଇତିମଧ୍ୟରେ ଭାରତୀୟ ଚିକିତ୍ସା ବୈଜ୍ଞାନିକମାନେ କରୋନା ଭାଇରସ୍‌କୁ ମନୁଷ୍ୟ ଶରୀରରୁ ଅଲଗା କରିବାରେ ସକ୍ଷମ ହୋଇଛନ୍ତି। ଏହା ଔଷଧ ପାଇଁ ଗବେଷଣା ଦିଗରେ ନିର୍ଣ୍ଣାୟକ ହେବ।

ସମ୍ବନ୍ଧିତ ଖବର