ନୂଆଦିଲ୍ଲୀ : କରୋନା ମହାମାରୀ ଦ୍ବାରା ଓଡ଼ିଶାରେ ୨୬ ହଜାର ୩୧୮ ଶିଶୁ ଅନାଥ ହୋଇଛନ୍ତି। ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଏନ୍ସିପିସିଆର୍ ‘ବାଲ ସ୍ବରାଜ ପୋର୍ଟାଲ’ରେ ଏପ୍ରିଲ ୨୦୨୦ ରୁ ଫେବ୍ରୁଆରି ୧୫, ୨୦୨୨ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଏକ ଲକ୍ଷ ୫୩ ହଜାର ୮୨୭ ଅନାଥ ଶିଶୁଙ୍କ ମଧ୍ୟରୁ ଓଡ଼ିଶାର ସଂଖ୍ୟା ହେଉଛି ୨୬ ହଜାର ୩୧୮। ଓଡ଼ିଶା ପରେ ମହାରାଷ୍ଟ୍ରରେ ୨୦ ହଜାର ୪୨୯ ଏବଂ ଗୁଜୁରାଟରେ ୧୪ ହଜାର ୯୩୪ ଶିଶୁ ଅନାଥ ହୋଇଛନ୍ତି।
ଓଡ଼ିଶାରେ ୧୬୧୭ ଶିଶୁ ଉଭୟ ପିତାମାତାଙ୍କୁ ହରାଇଥିବା ବେଳେ ୨୪ ହଜାର ୬୯୭ ଶିଶୁ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ମହାମାରୀ ଯୋଗୁ ଓଡ଼ିଶାରେ ୪ ଶିଶୁ ପରିତ୍ୟକ୍ତ ହୋଇଥିଲେ। ରିପୋର୍ଟ ଅନୁସାରେ ଦେଶରେ କରୋନା ଯୋଗୁ ୧୦ ହଜାର ୩୮୬ ଶିଶୁ ଉଭୟ ପିତାମାତାଙ୍କୁ ହରାଇଥିବା ବେଳେ ଏକ ଲକ୍ଷ ୪୨ ହଜାର ୯୪୯ ଶିଶୁ ପିତାମାତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି। ମହାମାରୀ ପ୍ରଭାବରେ ଦେଶରେ ପରିତ୍ୟକ୍ତ ଶିଶୁମାନଙ୍କର ସଂଖ୍ୟା ୪୯୨ ରହିଥିବା ସୂଚନା ଦିଆଯାଇଛି।