ଭାରତର ୫୬% ଜିଲ୍ଲାକୁ କରୋନା ବ୍ୟାପିଛି: ୯ ରାଜ୍ୟର ୧୫ ଜିଲ୍ଲାରେ ୫୦%ରୁ ଅଧିକ ମାମଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଏବେ ଦେଶର ୫୬ ପ୍ରତିଶତ ଜିଲ୍ଲାକୁ ବ୍ୟାପିସାରିଛି। ୯ ରାଜ୍ୟର ୧୫ଟି ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ମାମଲା ରହିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ମୁମ୍ବାଇ,ଇନ୍ଦୋର, ଜୟପୁର, ପୁନେ ଏବଂ ଅହମଦାବାଦ୍‌ରେ ସମଗ୍ର ମାମଲାର ଏକ ତୃତୀୟାଂଶ ରହିଛି। ଆମେରିକାରେ ଯେଭଳି ନ୍ୟୁୟର୍କ ଷ୍ଟେଟ୍‌ରେ ସମୁଦାୟ ମାମଲାର ୩୩ ପ୍ରତିଶତ ଏବଂ ନ୍ୟୁୟର୍କ ସିଟିରେ ୧୯ ପ୍ରତିଶତ ରହୁଛି ସେହିପରି ଚୀନ୍‌ରେ ବି ସମୁଦାୟ ମାମଲାର ୮୧ ପ୍ରତିଶତ କେବଳ ହୁବେଇ ପ୍ରଦେଶରେ ରିପୋର୍ଟ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୧୮ ଏପ୍ରିଲରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୭୮ ଥିଲା ଏବଂ ମୃତ୍ୟୁସଂଖ୍ୟା ୪୮୦ରେ ପହଞ୍ଚିଥିଲା। କିନ୍ତୁ ଏଥିମଧ୍ୟରୁ ୧୧,୭୮୩ ମାମଲା ୪୦୬ ଜିଲ୍ଲାରୁ ରିପୋର୍ଟ କରା‌ଯାଇଥିଲା। ଦେଶର ୭୩୧ ଜିଲ୍ଲାର ଏହା ପ୍ରାୟ ୫୬ ପ୍ରତିଶତ। ୪୦୬ ଜିଲ୍ଲାର ୧୧୭୮୩ ମାମଲାକୁ ନେଇ ସମସ୍ତ ଅନୁଶୀଳନ କରାଯାଉଛି। ଅନ୍ୟପକ୍ଷେ ପ୍ରାୟ ୧୦୮୦ ଜଣ ତବ୍‌ଲିଗି ଜମାତ୍‌ ସଦସ୍ୟ କ‌ରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ ଦିଲ୍ଲୀରେ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଅଂଚଳର ଭାବେ ଦର୍ଶାଯାଇ ନାହିଁ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଭାରତରେ ୪,୨୯୧ ମାମଲା ନିଜାମୁଦ୍ଦିନ୍‌ ମରକଜ୍‌ ସହ ସମ୍ପୃକ୍ତ। ନିଜାମୁଦ୍ଦିନ୍‌ ସମ୍ମିଳନୀ ପାଇଁ ଦେଶରେ ୪୦,୦୦୦ ଲୋକ କ୍ବାରାଣ୍ଟିନ୍‌ରେ ଅଛନ୍ତି। ୧୫ଟି ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ମାମଲା ରହିଥିବା ତଥ୍ୟରୁ ଜଣାପଡ଼ିଛି। ମୁମ୍ବାଇ, ଇନ୍ଦୋର, ଜୟପୁର, ପୁନେ ଏବଂ ଅହମଦାବାଦ୍‌ରେ ୩ ଜଣରେ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ଏହି ୫ଟି ଜିଲ୍ଲାରେ କେବଳ ୪,୧୩୭ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ମୁମ୍ବାଇରେ ମାମଲା ସର୍ବାଧିକ ରହିଛି। ମୁମ୍ବାଇ ସହରରେ ସର୍ବାଧିକ ୨୦୭୦ ମାମଲା ରହିଛି। ତଥ୍ୟ ଅନୁଯାୟୀ ୪୦୬ ଜିଲ୍ଲାରୁ ୬୮ଟି ଜିଲ୍ଲାରେ କେବଳ ଗୋଟିଏ ମାମଲା ଥିବାବେଳେ ୪୧ଟି ଜିଲ୍ଲାରେ ୨ଟି ଏବଂ ୬୪ଟି ଜିଲ୍ଲାରେ ୩ରୁ ୫ଟି ମାମଲା ରହିଛି।

ସମ୍ବନ୍ଧିତ ଖବର