ଦିଲ୍ଲୀ ଓ ବେଙ୍ଗାଲୁରୁରେ କରୋନା ରୋଗୀ ଚିହ୍ନଟ ହେବା ପରେ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଜଣାଇଲା ସତର୍କ ରହିବାର ଉପାୟ

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା ଭୟଙ୍କର ଭାଇରସ୍‌ କରୋନା ତା’ର ବଂଶ ବିସ୍ତାର କରିବାରେ ଲାଗିଛି। ନାନା ପ୍ରକାରର ପଦକ୍ଷେପ ପରେ ବି ଥମିବାର ନା ଧରୁନି ଏହି ଭୟଙ୍କର ଭାଇରସ୍‌। ଆଜି ଭାରତରୁ ପୁଣି ୨ ଜଣଙ୍କ ଭିତରେ ଏହି ଭାଇରସ୍‌ ଚିହ୍ନଟ ହୋଇଥିଲା। ଜଣେ ନୂଆଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ଆଉ ଜଣେ ତେଲେଙ୍ଗାନାର ବୋଲି ଜାଣିବାକୁ ମିଳିଥିଲା। ଦୁଇ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିବା ସହ ଦୁହିଁଙ୍କୁ କଡ଼ା ନଜରରେ ରଖାଯାଇଥିବା ବେଳେ ପରିସ୍ଥିତିକୁ ଦେଖି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୨୪ଘଣ୍ଟିଆ ହେଲପଲାଇନ୍ ନମ୍ବର ଜାରି କରାଯାଇଛି। ଏହା ସହ କିଭଳି ସତର୍କ ରହି ନିଜକୁ ଲୋକେ ସଂକ୍ରମଣରୁ ରକ୍ଷା କରିପାରିବେ, ତା’ର କିଛି ଉପାୟ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି।

କରୋନାଭାଇରସ୍ ଲକ୍ଷଣ ସମ୍ବନ୍ଧୀୟ ପ୍ରଶ୍ନ ପାଇଁ ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ୨୪ଘଣ୍ଟିଆ ହେଲ୍ପଲାଇନ ନମ୍ବର (+୯୧-୧୧-୨୩୯୭୮୦୪୬) ସହ  ଯୋଗାଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଲୋକମାନେ କରୋନା ରୋଗୀଙ୍କ ବିଷୟରେ ଜଣାଇବା ପାଇଁ  କିମ୍ବା କୌଣସି ପ୍ରକାରର ସାହାଯ୍ୟ ମାଗିବାକୁ [email protected] ରେ ମଧ୍ୟ ଇ-ମେଲ୍ କରିପାରିବେ। ଏହି ପ୍ରସଙ୍ଗରେ ସରକାର ମୌଳିକ ସୁରକ୍ଷା ବ୍ୟବସ୍ଥା ବିଷୟରେ ମଧ୍ୟ ଲୋକଙ୍କୁ ଜଣାଇ ସଚେତନ କରିଛନ୍ତି।

କିଛି କିଛି ଘଣ୍ଟାର ବ୍ୟବଧାନରେ ହାତ ଭଲ ଭାବରେ ସଫା କରିବା ସହ ଯେତେ ସମ୍ଭବ ଘର ଭିତରେ ରହିବା, ହାତ ନଧୋଇ ଆଖି, ନାକ ଏବଂ ପାଟିକୁ ନ ଛୁଇଁବା, କାଶିବା ଏବଂ ଛିଙ୍କିବା ସମୟରେ ମୁହଁରେ ହାତ ଦେବା, ଯଦି କଫ ହେବା ସହ ନିଶ୍ବାସ ନେବାରେ ଅସୁବିଧା ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଭଳି କିଛି ଉପାୟ ଟୁଇଟ ଜରିଆରେ ସେୟାର କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ସମ୍ବନ୍ଧିତ ଖବର