କରୋନା ହଟ୍‌ସ୍ପଟ୍‌ ମହାରାଷ୍ଟ୍ର: ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୭କୁ ବୃଦ୍ଧି, ୨୪ ଘଣ୍ଟା‌ରେ ୧୬୨ ନୂଆ ମାମଲା

ମୁମ୍ବାଇ: ମହାରାଷ୍ଟ୍ର ଏବେ କରୋନାର ହଟ୍‌ସ୍ପଟ୍‌ ପାଲଟିଛି। ଭାରତରେ ପ୍ରଥମ ରାଜ୍ୟଭାବେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଛି। ମାର୍ଚ୍ଚ ୯ ତାରିଖରେ ମହାରାଷ୍ଟ୍ରରେ ପ୍ରଥମ କରୋନା ଚିହ୍ନଟ ହୋଇଥିଲା। ମାସକ ମଧ୍ୟରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଛି। ମହାରାଷ୍ଟ୍ରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୭ ପହଞ୍ଚିଛି। କେବଳ ଗୁରୁବାର ମହାରାଷ୍ଟ୍ରରେ ୧୬୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ୧୬୨ ନୂଆ ମାମଲାରୁ କେବଳ ମୁମ୍ବାଇରୁ ୧୪୩ଟି ରହିଛି। ବିଏମ୍‌ସି ପକ୍ଷରୁ ଆଜି ପୁଣି ଏକ ନୂଆ ନିଷିଦ୍ଧାଞ୍ଚଳ ତାଲିକା ଜାରି କର କରାଯାଇଛି। ମହାରାଷ୍ଟ୍ରରେ ୩୮୧ ସ୍ଥାନକୁ ଅବରୋଧ ଅଂଚଳ (କଣ୍ଟେନମେଣ୍ଟ୍‌ ଜୋନ୍‌) ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସମସ୍ତ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୫୭ ଜଣ ମୁମ୍ବାଇର। ମହାରାଷ୍ଟ୍ରରେ ୭୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏଥି ମଧ୍ୟରୁ ୪୫ ଜଣ କେବଳ ମୁମ୍ବାଇର। ବୁଧବାର ଦିନ ରାଜ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ୯ ମୃତକଙ୍କ ମଧ୍ୟରୁ ୫ ଜଣ ମୁମ୍ବାଇର। ୩୦ ଦିନ ମଧ୍ୟରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ୬ ପ୍ରତିଶତରୁ ଅଧିକ ରହିଛି। ଏହା ସମଗ୍ର ଦେଶରେ ହୋଇଥିବା ମୃତ୍ୟୁସଂଖ୍ୟାର ଦ୍ବିଗୁଣା। ସେହିପରି ପୁନେରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ଗତ ୧୨ ଘଣ୍ଟା ମଧ୍ୟରେ ପୁନେରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗତକାଲି ହାତଯୋଡ଼ି ଲୋକମାନଙ୍କୁ କ୍ଷମା ମାଗିଥିଲେ। ଲୋକମାନଙ୍କୁ ସେ ଘରେ ରହିବାପାଇଁ ଅନୁରୋଧ କରିଥିଲେ। ଘରେ ରହିବା ଛଡ଼ା ଆମ ପାଖରେ ଅନ୍ୟ କିଛି ବାଟ ନାହିଁ ବୋଲି ସେ କହିଥିଲେ। ତେବେ ସଂକ୍ରମଣ ବଢ଼ିବା ସତ୍ତ୍ବେ ମହାରାଷ୍ଟ୍ର ଏବେ ବି ଷ୍ଟେଜ୍‌ ୨ରେ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର