୧୩୩ ରାଷ୍ଟ୍ରରେ କରୋନା: ବିଶ୍ବରେ ୫୧୧୬ ମୃତ, ୧୩୯, ୦୧୮ ଭାଇରସ୍‌ ଆକ୍ରାନ୍ତ

ଇଟାଲୀରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା, ଇରାନ୍‌ରେ ଗୋଟିଏ ଦିନରେ ୮୫ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ ଏବେ ୧୩୩ ରାଷ୍ଟ୍ରକୁ ବ୍ୟାପିଛି ଏବଂ ୧୩୯,୦୧୮ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। କରୋନା ‌ଯୋଗୁଁ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ଏବେ ୫୧୧୬ ପହଞ୍ଚିଛି। ୟୁରୋପୀୟ ର‌ାଷ୍ଟ୍ରଗୁଡ଼ିକରେ କରୋନା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଇଟାଲିରେ କରୋନା ମୃତ୍ୟୁସଂଖ୍ୟା‌ ୧୦୦୦ ଟପିଛି। ଇଟାଲିରେ ୧,୦୧୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୧୫,୧୧୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ପରେ କରୋନା ଇଟାଲି ଏବଂ ଇରାନ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଇରାନ୍‌ରେ ଗତକାଲି ଗୋଟିଏ ଦିନରେ ୮୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ଦେଶରେ ମୃତ୍ୟୁସଂଖ୍ୟା ୫୧୪ରେ ପହଞ୍ଚିଛି । ୧୦,୦୭୫ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇରାନ୍‌ର ସର୍ବୋ‌ଚ୍ଚ ନେତାଙ୍କ ଶୀର୍ଷ ପରାମର୍ଶଦାତାଙ୍କ ଶରୀରରେ ଭାଇରସ୍‌ ଲକ୍ଷଣ ଦେଖାଦେଇଛି। ତାଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହିପରି ବ୍ରାଜିଲ୍‌ ରାଷ୍ଟ୍ରପତି ଜେଆର ବଲ୍‌‌ସୋନାରୋ ମଧ୍ୟ ଭାଇରସ୍‌ ପରୀକ୍ଷା କରାଇଛନ୍ତି। ବଲ୍‌ସୋନାରୋଙ୍କ ଜଣେ ସଚିବ ଭାଇରସ୍‌ ଆକ୍ରାନ୍ତ ହେବାପରେ ବଲ୍‌‌ସୋନାରୋ ଭାଇରସ୍‌ ପାଇଁ ପରୀକ୍ଷା କରିଛନ୍ତି। ଦକ୍ଷିଣ କୋରିଆରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ସ୍ପେନ୍‌ରେ ୮୬ ଏବଂ ଫ୍ରାନ୍ସରେ ୬୧ ଜଣଙ୍କ ମୃତ୍ୟୁ ହୋଇଛି।

ଆମେରିକାରେ କରୋନା ଯୋଗୁଁ ୪୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୭୬୨ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଆମେରିକା‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବିଭିନ୍ନ ପ୍ରଦେଶରେ ଶିକ୍ଷାନୁଷ୍ଠାନଗୁଡ଼ିକ ୨ ସପ୍ତାହ ପାଇଁ ବନ୍ଦ ଘୋଷଣା ହୋଇଛି। ଆମେରିକାରେ ଭାଇରସ୍‌ର କେନ୍ଦ୍ରସ୍ଥଳ ୱାସିଂଟନ୍‌ର ୩ଟି ପ୍ରଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆମେରିକୀୟ ରାଜ୍ୟ ଓହିଓରେ ୧ଲକ୍ଷରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇପାରନ୍ତି ବୋଲି ଓହିଓ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି। ବିଭିନ୍ନ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ବି ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି। କରୋନା ପାଇଁ ସମଗ୍ର ରୋମାନିଆ ସରକାର କ୍ବାରେଣ୍ଟିନ୍‌ରେ ଅଛନ୍ତି। ରୋମାନିଆ ପ୍ରଧାନମନ୍ତ୍ରୀ ଲୁଡୋଭିତ ଅର୍ବାନ୍‌ ଏବଂ ୧୭ ସଦସ୍ୟ ବିଶିଷ୍ଟ କ୍ୟାବିନେଟ୍‌ର ସମସ୍ତେ କ୍ବାରେଣ୍ଟିନ୍‌ରେ ଅଛନ୍ତି। ନ୍ୟାସନାଲ ଲିବରାଲ୍‌ ପାର୍ଟିର ଜଣେ ସିନେଟର ଭାଇରସ୍‌ ଆକ୍ରାନ୍ତ ହେବାପରେ ସମଗ୍ର ରୋମାନିଆ ସରକାର କ୍ବାରେଣ୍ଟିନ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର