ଦେଶରେ ୫୫୦ ଜିଲ୍ଲାରେ କରୋନା, ଅଧିକାଂଶ ଗ୍ରାମାଞ୍ଚଳରେ

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବା ସହ ଅନେକ କଟକଣା କୋହଳ ହୋଇଛି। କିନ୍ତୁ ତଥ୍ୟ ଅନୁଯାୟୀ କ‌ରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ପାଇଁ ଏକ ନୂଆ ଚ୍ୟାଲେଂଜ ସୃଷ୍ଟି ହୋଇଛି। ମେ’ ୧୭ ସୁଦ୍ଧା ଦେଶର ମୋଟ୍‌ ୭୩୬ ଜିଲ୍ଲାରୁ ୫୫୦ ଟି ଜିଲ୍ଲାରେ କରୋନା ମାମଲା ଚିହ୍ନଟ ହୋଇଛି। ଗତ ୧୫ ଦିନ ମଧ୍ୟରେ ୧୮୦ ଜିଲ୍ଲାରେ କରୋନା ଚିହ୍ନଟ ହୋଇଛି ବୋଲି ବିଭିନ୍ନ ରାଜ୍ୟମାନଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଅଧିକାଂଶ ଜିଲ୍ଲା ମେ’ ୧ ସୁଦ୍ଧା କରୋନା ପ୍ରଭାବିତ। ସରକାରୀ ସୂଚନା ଅନୁଯାୟୀ ପ୍ରବାସୀ ଫେରିବା ପରେ ସଂକ୍ରମଣ ବଢ଼ିଛି। ମେ’ ୧ ତାରିଖରେ ଶ୍ରମିକ ସ୍ପେସାଲ୍‌‌ ଟ୍ରେନ୍‌ ଚାଲିବା ପରଠାରୁ ଅଧିକାଂଶ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଛି। ଶନିବାର ସୁଦ୍ଧା ଦେଶରେ ମୋଟ୍‌ ମାମଲାର ୨୧ ପ୍ରତିଶତ ଗ୍ରାମୀଣ ଜିଲ୍ଲାରୁ ଚିହ୍ନଟ ହୋଇଛି।

ତେବେ ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି ଯେ ଅଧିକାଂଶ ଗ୍ରାମୀଣ ଜିଲ୍ଲାରେ ସଂକ୍ରମଣ ମାମଲା ଏକ ଅଙ୍କ ସଂଖ୍ୟାବିଶିଷ୍ଟ ରହିଛି ଏବଂ ଆକ୍ରାନ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। କିନ୍ତୁ ବିହାରର ମୁଙ୍ଗେର ଓ ଓଡ଼ିଶାର ଗଂଜାମ, ଏ କ୍ଷେତ୍ରରେ ସର୍ବାଧିକ ପ୍ରଭାବିତ। ଗଂଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦ ଟପିଥିବା ବେଳେ ମୁଙ୍ଗେରରେ ଆକ୍ରାନ୍ତ ସଂଖ୍ୟା ୧୯୫ରେ ପହଞ୍ଚିଛି। କିନ୍ତୁ ଫେରୁଥିବା ଅଧିକାଂଶ ପ୍ରବାସୀଙ୍କ ପାଖରେ ସଂକ୍ରମଣର କୌଣସି ଲକ୍ଷଣ ନଥିବାରୁ ଏହା ଚିନ୍ତା ବଢ଼ାଇଛି। ସଂକ୍ରମଣର ଲକ୍ଷଣ ନଥିବା ରୋଗୀ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରନ୍ତି। ବିହାରରେ ଜଣେ ବରିଷ୍ଠ ଅମଲାଙ୍କ କହିବା ଅନୁଯାୟୀ ତାଙ୍କ ରାଜ୍ୟର ସମସ୍ତ ଜିଲ୍ଲାକୁ ଆସିଥିବା ପ୍ରବା‌ସୀଙ୍କ ମଧ୍ୟରୁ କେବଳ ୨୦ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି। ବିହାରରେ ସମସ୍ତ ୩୬ଟି ଜିଲ୍ଲା, ଓଡ଼ିଶାର ୩୦ ଜିଲ୍ଲାରୁ ୨ ତୃତୀୟାଂଶ , ମଧ୍ୟପ୍ରଦେଶରେ ୫୫ ଜିଲ୍ଲାରୁ ୮୦ ପ୍ରତିଶତ, ଝାଡ଼ଖଣ୍ଡର ୨୪ ଜିଲ୍ଲାରୁ ଅର୍ଦ୍ଧାଧିକ, ରାଜସ୍ଥାନରେ ୩୩ ଏବଂ ଛତିଶଗଡ଼ର ୨୮ ଜିଲ୍ଲାରୁ ୧ ତୃତୀୟାଂଶ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି। ତାମିଲନାଡ଼ୁ, ହରିୟାଣା ଓ କର୍ଣ୍ଣାଟକରେ ନୂଆ ଜିଲ୍ଳାସବୁକ କରୋନା ବ୍ୟାପିଛି। ତାମିଲନାଡ଼ୁରେ ସମସ୍ତ ୩୮ ଜିଲ୍ଲା, ହରିୟାଣାରେ ସମସ୍ତ ୨୨ଟି ଜିଲ୍ଲାରେ କରୋନା ମାମଲା ରହିଛି। ରାଜ୍ୟରେ ୧୦ ହଜାର ମାମଲାରୁ ୩୦ ପ୍ରତିଶତ କେବଳ ଚେନ୍ନାଇର କୋୟାମବେଡ଼ୁ ପରିବା ବଜାର ପାଇଁ ହୋଇଛି। ହରିୟାଣାକୁ ଦିଲ୍ଲୀ ରେଡ୍‌ ଜୋନ୍‌ରୁ କିଛି ଲୋକ ଫେରିବା ପରେ ସଂକ୍ରମଣ ବ୍ୟାପିଲା। କର୍ଣ୍ଣାଟକରେ ୩୦ ଜିଲ୍ଲାରୁ ୨୩ଟିରେ ସଂକ୍ରମଣ ମାମଲା ରହିଛି। ସେହିପରି ୧୨ ରାଜ୍ୟର ୩୦ ମ୍ୟୁନିସପାଲ୍‌ ଅଞ୍ଚଳରେ ଦେଶର ୭୯ ପ୍ରତିଶତ ମାମଲା ରହିଛି ବୋଲି କହାଯାଇଛି। ଏହିସବୁ ଅଞ୍ଚଳଗୁଡ଼ିକ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା‌, ପଂଜାବ, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ରହିଛି। ମୁମ୍ବାଇ, ଅହମଦାବାଦ୍‌, ଥାନେ, ଦିଲ୍ଲୀ, ଇନ୍ଦୋର, ପୁନେ, କୋଲକାତା, ଜୟପୁର, ନାଶିକ, ଯୋଧପୁର, ଆଗ୍ରାରେ ସର୍ବାଧିକ ସଂକ୍ରମଣ ରହୁଛି।

ସମ୍ବନ୍ଧିତ ଖବର