୧୮୬ ରାଷ୍ଟ୍ରରେ କରୋନା: ୧୨ ହଜାର ମୃତ, ୨୯୦,୩୮୮ ଭାଇରସ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ୧୮୬ ରାଷ୍ଟ୍ରରେ କରୋନା ଭାଇରସ୍‌ ପହଞ୍ଚିଛି। ୨୮୩,୦୬୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ମୃତ୍ୟୁସଂଖ୍ୟା ୧୨, ୦୦୦ ଟପିଛି। ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଅତି ଭୟାନକ ସ୍ଥିତି ଉପୁଜିଛି। ଇଟାଲିରେ ଗୋଟିଏ ଦିନରେ ୬୨୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏଠାରେ ସମୁଦାୟ ମୃତ୍ୟୁସଂଖ୍ୟା ୪,୦୩୨ ରେ ପହଞ୍ଚିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୪୭,୦୦୦ ଟପିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ୧୩୨୬ ଜଣଙ୍କର ସ୍ପେନ୍‌ରେ ମୃତ୍ୟୁ ହୋଇଛି ଏବଂ ୨୧,୫୭୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଜର୍ମାନୀ ଅବସ୍ଥା ବି ସାଂଘାତିକ ହୋଇପଡ଼ିଛି। ଜର୍ମାନୀରେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦ ପ୍ରତିଶତ ନୂଆ ମାମଲା ଆସିଛି। ୨୪ ଘଣ୍ଟା ମଧ୍ୟରେ ଜର୍ମାନୀରେ ୨୭୦୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୪୮ରେ ପହଞ୍ଚିଛି। ସେହିପରି ଆମେରିକାରେ କରେନାଜନିତ ମୃତ୍ୟୁସଂଖ୍ୟା ୨୭୫ ଛୁଇଁଥିବା ବେ‌ଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୦୦୦ ଟପିଛି। ଆମେରିକାରେ ସ୍ଥିତି ଜଟିଳ ହୋଇପଡ଼ିଥିବାରୁ ବିଭିନ୍ନ ରାଜ୍ୟ ଏବଂ ସହରରେ ନାଗରିକମାନଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି। ପ୍ରତି ୫ ଜଣରେ ଜଣେ ନାଗରିକଙ୍କୁ ତଥା ୭୦ ନିୟୁତରୁ ଅଧିକ ଲୋକଙ୍କୁ ଲକ୍‌ଡାଉନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଦିନ ନ୍ୟୁୟର୍କ, ନ୍ୟୁଜର୍ସିରେ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିଛି। କଲମ୍ବିଆରେ ଅଧିକାଂଶ ନାଗରିକଙ୍କୁ ଆସନ୍ତା ସପ୍ତାହରୁ ସେଲ୍‌ଫ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି। ମାର୍ଚ୍ଚ ୨୪ ୧୧.୫୯ରୁ ଏପ୍ରିଲ ୧୩, ପର୍ଯ୍ୟନ୍ତ ସବୁ ଲୋକଙ୍କୁ ବାଧ୍ୟତାମୂଳକ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି। ଅନ୍ୟପକ୍ଷେ ଭିଏତନାମରେ ସମସ୍ତ ଆଗନ୍ତୁକ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂକଳ କ୍ବାରେଣ୍ଟିନ୍‌ ଘୋଷଣା କରାଯାଇଛି।

ସ୍ପେନ୍‌ରେ ୨୪ଘଣ୍ଟାରେ ୩୦୦ରୁ ଅଧିକ ମୃତ୍ୟୁ
ପ୍ରତି ୫ ଜଣରେ ଜଣେ ଆମେରିକୀୟଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ
ଜର୍ମାନୀରେ ଜଟିଳ ସ୍ଥିତି, ୨୪ ଘଣ୍ଟାରେ ୨୭୦୫ ଭାଇରସ୍ ଆକ୍ରାନ୍ତ
କଲମ୍ବିଆରେ ୧୯ ଦିନ ବାଧ୍ୟତାମୂଳକ ଆଇସୋଲେସନ୍‌
ଫିଲିପାଇନ୍ସକୁ ୧ ଲକ୍ଷ ଟେଷ୍ଟିଂ କିଟ୍‌ ଦେଲା ଚୀନ୍‌

ଇରାନ୍‌ରେ ଶନିବାର ୧୨୩ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ଏଥିସହ ଇରାନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ସମୁଦାୟ ୧୫୫୬ରେ ପହଞ୍ଚିଛି। ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୦୦୦ ଟପିଛି। ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୦୦ ଟପିଛି। ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଥିବା ବେଳେ ଏଠାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ୨ ସପ୍ତାହ ପାଇଁ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖିଛି। ଫିଲିପାଇନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଫିଲିପାଇନ୍ସକୁ ଚୀନ୍‌ ୧ଲକ୍ଷ ଟେଷ୍ଟିଙ୍ଗ୍‌ କିଟ୍‌ ଦେଇଛି।

ସମ୍ବନ୍ଧିତ ଖବର