କରୋନା ନିୟନ୍ତ୍ରଣ ପାଇଁ ବେଜିଂରେ ଯୁଦ୍ଧକାଳୀନ ପ୍ରସ୍ତୁତି

ବେଜିଂ: ଚୀନ୍‌ରେ ପୁଣି ୩୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୨୫ ଜଣ କେବଳ ବେଜିଂରୁ। ମୋଟ୍‌ ୧୮୩ ଜଣ ବେଜିଂରେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି। ତେବେ ବେଜିଂରେ ସଂକ୍ରମଣ ବଢ଼ିଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଭାଇରସ୍‌ ନିୟନ୍ତ୍ରଣ ପାଇଁ ବେଜିଂରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ ହେଉଛି। ଗୁରୁବାର ଦିନ ଚୀନ୍‌ ମେନ୍‌ଲାଣ୍ଡ୍‌ରେ ସଂକ୍ରମଣର କୌଣସି ଲକ୍ଷଣ ନଥିବା ୫ଟି ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ବେଜିଂ ଏବେ ସେମି ଲକ୍‌ଡାଉନ୍‌ ପର୍ଯ୍ୟାୟରେ ରହିଛି।

ସହରର ମୁଖ୍ୟ ହୋଲସେଲ୍‌ ବଜାର ଜିନ୍‌ଫାଡିରେ ୨୫ ନୂଆ ମାମଲା ସ୍ପଷ୍ଟ ହୋଇଛି। ପ୍ରଶାସନ ଜିନ୍‌ଫାଡ଼ି ବଜାରରେ ସିଫୁଡ୍‌ ଷ୍ଟଲ୍‌ ଗୁଡ଼ିକ ଉପରେ ସତର୍କ ନଜର ରଖିଛନ୍ତି। ଜଣେ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଉହାନ୍‌ରେ ଗତବର୍ଷ କରୋନା ଉତ୍ପତ୍ତି ହେବାବେଳେ ଏହି ସମାନ ସ୍ଥିତି ଉପୁଜିଥିଲା। ଡବ୍ଲ୍ୟୁଏଚ୍ଓ ପକ୍ଷରୁ ମଧ୍ୟ ଏନେଇ ଚୀନ୍‌ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଛି। ତେବେ ଦାବି କରାଯାଉଛି ଯେ, ଜିନଫାଡ଼ି ବଜାରକୁ ଆସିଥିବା ସାଲମନ୍‌ରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି। ଅଧିକାଂଶ ନୂଆ ମାମଲା ଜିନଫାଡ଼ି ହୋଲସେଲ୍‌ ମାର୍କେଟ୍‌ରୁ ହିଁ ଆସୁଛି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହେ ପର୍ଯ୍ୟନ୍ତ ବେଜିଂରେ ପ୍ରାୟ ୫୫ ଦିନ ଧରି ଭାଇରସ୍‌ ନଥିଲା। ଏବେ ବେଜିଂ ହୋଲସେଲ୍‌ ବଜାରରେ ସଂକ୍ରମଣ ବଢ଼ିଥିବାରୁ ଚିନ୍ତା ବଢ଼ିଛି। ସମଗ୍ର ବିଶ୍ବପାଇଁ ମଧ୍ୟ ଏହା ଏକ ଚିନ୍ତାର କାରଣ।

ସମ୍ବନ୍ଧିତ ଖବର