ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ଉପରେ ନିୟନ୍ତ୍ରଣ ପାଇବାକୁ ରାଜଧାନୀ ଦିଲ୍ଲୀ ସମେତ ଅନେକ ଅଞ୍ଚଳରେ ପୁଣି କୋଭିଡ କଟକଣା ଜାରି କରିଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ପୁଲିସ ପୂର୍ବ ୨ ଦିନରେ କୋଭିଡ ନିୟମ ଉଲଂଘନକାରୀଙ୍କଠାରୁ ୧.୫ କୋଟି ଟଙ୍କା ଜରିମାନା ଆଦାୟ କରିବା ସହ ୧୪୩ ମାମଲା ରୁଜୁ କରିଛନ୍ତି ।
ଦିଲ୍ଲୀ ସରକାର କହିଛନ୍ତି ଯେ, କୋଭିଡ କଟକଣା ଉଲଂଘନ କରିବା ନେଇ ୨ ଦିନ ମଧ୍ୟରେ ୧୪୩ ଟି ମାମଲା ରୁଜୁ ହୋଇଛି । ଏହାସହ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ନକରିବା ଓ ଭିଡ କରିବା କାରଣରୁ ୭୭୭୮ ଟି ମାମଲା ରୁଜୁ ହୋଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କୋଭିଡ କଟକଣା ଜାରି କରିଛନ୍ତି । ଏହି କ୍ରମରେ ବଜାରମାନଙ୍କରେ ପ୍ରବଳ ଭିଡ ଦେଖି ସରୋଜିନି ମାର୍କେଟରେ ୨୫ ଓ ୨୬ ତାରିଖ ଦୁଇଦିନ ପାଇଁ ଅଡ ଇଭେନ ପ୍ରକ୍ରିୟାରେ ମାର୍କେଟ ପରିଚାଳନା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସବୁ ଦୋକାନୀ ଓ କାମ କରୁଥିବା କର୍ମଚାରୀମାନେ ଶତ ପ୍ରତିଶତ ଟିକା ନେଇଥିବା ଆବଶ୍ୟକ ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରମ ଏବେ କ୍ଷୀପ୍ର ବେଗରେ ମାଡିଚାଲିଛି । ଏପର୍ଯ୍ୟନ୍ତ ଦେଶର ୧୭ ଟି ରାଜ୍ୟରେ ୪୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ଦିଲ୍ଲୀରେ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଓମିକ୍ରନ ସଂକ୍ରମଣରୁ ଦେଶରେ ୧୧୫ ଜଣ ସୁସ୍ଥ ହୋଇଛନ୍ତି ।