ହାଇଦ୍ରାବାଦରେ କରୋନା ଭୟ, ଶାହଙ୍କ ର‍୍ୟାଲି ସ୍ଥଗିତ

ଇଂଜିନିୟରଙ୍କ ସଂସ୍ପର୍ଶରେ ଆସିଥିବା‌ ୩୬ ଜଣଙ୍କ ଶରୀରରେ ଭାଇରସ୍‌ ଲକ୍ଷଣ
ହ‌ାଇଦ୍ରାବାଦ୍‌ ପ୍ରଯୁକ୍ତି କମ୍ପାନି ଖାଲି କରାଗଲା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ହାଇଦ୍ରାବାଦରେ ଆତଙ୍କ ସୃଷ୍ଟି କରିଛି। ଭାଇରସ୍‌ ଭୟ ଯୋଗୁଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଏକ ରୢାଲି କାର୍ଯ୍ୟକ୍ରମ ଆଜି ସ୍ଥଗିତ ରହିଛି। ହାଇଦ୍ରାବାଦ୍‌ର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହେବା ପୂର୍ବରୁ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ଚିହ୍ନଟ କରାଯାଇଛି। ଇଂଜିନିୟରଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୪୫ ଜଣଙ୍କ ଶରୀରରେ କରୋନା ଭାଇରସ୍‌ ପରି ଲକ୍ଷଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ସରକାରଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଉକ୍ତ ୪୫ ଜଣଙ୍କୁ ସୋମବାର ରାତିରୁ ରାଜ୍ୟ ପରିଚାଳିତ ଗାନ୍ଧୀ ହସ୍ପିଟାଲ୍‌ରେ ରଖାଯାଇଛି। ଯେଉଁମାନଙ୍କ ଶରୀରରେ ଭାଇରସ୍‌ ଲକ୍ଷଣ ଦେଖାଦେଇ ନାହିଁ ସେମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଇଛି। ‌ସମସ୍ତ ସନ୍ଦିଗ୍ଧଙ୍କ ଭାଇରସ ରିପୋର୍ଟଙ୍କୁ ଅପେକ୍ଷା କରାଯାଇଛି। ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ ଇଂଜିନିୟର ନିକଟରେ ଦୁବାଇରୁ ଭାରତକୁ ଫେରିଥିଲେ। ତେବେ ସେ ବେଙ୍ଗାଲୁରୁରୁ ହାଇଦ୍ରାବାଦ୍‌କୁ ଏକ ବସ୍‌ରେ ଯାତ୍ରା କରିଥିଲେ। ଏହି ବସ୍‌ର ସମସ୍ତ ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଯାଞ୍ଚ କରାଯାଇଛି। ହାଇଦ୍ରାବାଦ୍‌ରେ ପୁଣି ୨ ଜଣଙ୍କ ଶରୀରରେ ଭାଇରସ୍‌ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇ ନାହିଁ। ଉକ୍ତ ୨ ଜଣଙ୍କ ନମୁନା ପୁନେ ଲ୍ୟାବ୍‌କୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବାପରେ ସ୍ଥିତି ସ୍ପଷ୍ଟ କରାଯିବ। ମିଳିଥିବା ସୂଚନାନୁଯାୟୀ ଉକ୍ତ ୨ ଜଣଙ୍କ ମଧ୍ୟରୁ ଜଣେ ଏକ ପ୍ରଯୁକ୍ତି କମ୍ପାନିରେ କାମ କରୁଥିଲେ। ତେବେ ତାଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହେବାପରେ କମ୍ପାନିର ୨ଟି ସାଇଟ୍‌କୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି।

ସମ୍ବନ୍ଧିତ ଖବର