ଭାରତରେ କରୋନା: ୩୯ ଦିନରେ ୧ ଲକ୍ଷରୁ ୫ ଲକ୍ଷ

୪ ଲକ୍ଷରୁ ୫ ଲକ୍ଷ ହେବା ପାଇଁ ମାତ୍ର ୬ ଦିନ, ମହାରାଷ୍ଟ୍ରରେ ଦିନକରେ ୫ ହଜାରରୁ ଅଧିକ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ୫ ଲକ୍ଷ ଟପିଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୧୮ ହଜାର ୫୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ଜୁନ୍‌ ୧ ପରଠାରୁ ଦେଶରେ ୩ ଲକ୍ଷ ୧୮ ହଜାର ନୂଆ ମାମଲା ରେକର୍ଡ କରାଯାଇଛି ଏବଂ କରୋନା ମାମଲା ୧ ଲକ୍ଷରୁ ୫ ଲକ୍ଷରେ ପହଞ୍ଚିବା ପାଇଁ ମାତ୍ର ୩୯ ଦିନ ଲାଗିଛି। କରୋନା ସଂକ୍ରମଣ ମାମଲା ୪ ଲକ୍ଷରୁ ୫ ଲକ୍ଷରେ ପହଞ୍ଚିବା ପାଇଁ କେବଳ ୬ ଦିନ ସମୟ ନେଇଛି। ଏବେ ଦେଶରେ ସଂକ୍ରମଣ ମାମଲା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ମୋଟ୍‌ ସଂକ୍ରମଣ ମାମଲା ୫ ଲକ୍ଷ ୯ ହଜାର ୩୭୭ରେ ପହଞ୍ଚିଛି ଏବଂ ୧୫ ହଜାର ୬୮୫ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଗତକାଲି ପ୍ରଥମ ଥର ପାଇଁ ସର୍ବାଧିକ ୫ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି ଏବଂ ରାଜ୍ୟରେ ସଂକ୍ରମଣ ମାମଲା ଦେଢ଼ ଲକ୍ଷ ଟପିଯାଇଛି। ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧିହାର କମୁଥିବା କୁହାଯାଇଥିଲେ ସୁଦ୍ଧା ମାତ୍ର ୨ ଦିନରେ ରାଜ୍ୟ‌ରେ ପ୍ରାୟ ୧୦ ହଜାର ନୂଆ ମାମଲା ଯୋଡ଼ି ହୋଇଛି। ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୨ ହଜାର ୭୬୫ରେ ପହଞ୍ଚିଛି। ରାଜ୍ୟରେ ୬୫ ହଜାର ୮୪୪ ସକ୍ରିୟ ମାମଲା ଥିବା ବେଳେ ୭୯ ହଜାର ୮୧୫ ଜଣ ଆରୋଗ୍ୟ ହୋଇଛନ୍ତି। ଅନ୍ୟପକ୍ଷେ ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ୩,୪୬୦ ନୂଆ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ସଂକ୍ରମଣ ମାମଲା ୭୭ ହଜାର ଟପିଯାଇଥିବା ବେଳେ ୨,୪୯୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦିଲ୍ଲୀରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ସକ୍ରିୟ ମାମଲା ୨୭ ହଜାର ୬୫୭ ଥିବାବେଳେ ୪୭ ହଜାର ୯୧ ଜଣ ଆରୋଗ୍ୟ ହୋଇଛନ୍ତି।

ଦେଶରେ ମୋଟ୍‌ ସକ୍ରିୟ ମାମଲା ୯୭ ହଜାର ୩୮୭ ରହିଛି ଏବଂ ୨ ଲକ୍ଷ ୯୫ ହଜାର ୮୮୧ ଜଣ ଆରୋଗ୍ୟ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୫୮.୧୩ ପ୍ରତିଶତକୁ ବୃଦ୍ଧିପାଇଛି। ତାମିଲନାଡ଼ୁରେ ମୋଟ୍‌ ସଂକ୍ରମଣ ମାମଲା ୭୪ ହଜାର ୬୨୨ ରହିଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ୯୫୭ ରହିଛି। ରାଜ୍ୟରେ ୩୨ ହଜାର ୩୦୮ ସକ୍ରିୟ ମାମଲା ଥିବାବେଳେ ୪୧ ହଜାର ୩୫୭ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଦେଶରେ ସର୍ବାଧିକ ପ୍ରଭାବିତ ସହର। ମୁମ୍ବାଇରେ ସଂକ୍ରମଣ ବୃଦ୍ଧିହାର କମିଥିବାବେଳେ ଦିଲ୍ଲୀରେ ବଢ଼ିଚାଲିଛି। ଜାତୀୟ ରାଜଧାନୀ ଦିଲ୍ଲୀ ମୁମ୍ବାଇକୁ ଟପିଯାଇଛି। ଅନ୍ୟପକ୍ଷେ ଚେନ୍ନାଇରେ ସଂକ୍ରମଣ ବଢ଼ିଚାଲିଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଜୁନ୍‌ ୨୬ ସୁଦ୍ଧା ୭୯ ଲକ୍ଷ ୯୬ ହଜାର ୭୦୭ ନମୁନା ପରୀକ୍ଷା କରାଯାଇଛି । ଶୁକ୍ରବାର ଦିନ ସର୍ବାଧିକ ୨ ଲକ୍ଷ ୨୦ ହଜାର ୪୭୯ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର