ଇଟାଲି ପର୍ଯ୍ୟଟକଙ୍କ ପାଇଁ ଭାରତରେ ବ୍ୟାପୁଛି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଆଜି ରାଜ୍ୟସଭାରେ କରୋନା ସଂକ୍ରମଣ ଏବଂ ମୁକାବିଲା ସମ୍ପର୍କରେ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ବୁଧବାର ରାତି ସୁଦ୍ଧା ଦେଶରେ ୨୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ କଡ଼ା ନଜର ରଖିଛନ୍ତି। ୨୯ ଜଣଙ୍କ ମଧ୍ୟରୁ କେରଳର ୩ ଜଣ ବ୍ୟକ୍ତି ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଥିଲେ ସେମାନେ ଏବେ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ବିପଦ ଜଣାପଡ଼ିବା ପରେ ବିଦେଶରୁ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂକୁ ବାଧ୍ୟତାମୂଳକ କରି ଦିଆଯାଇଛି। ଏହା ପୂର୍ବରୁ କରୋନା ପ୍ରଭାବିତ ୧୨ଟି ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ବିମାନ ବନ୍ଦର ଗୁଡ଼ିକରେ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୫୪୨ ଜଣ ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କର ସଂକ୍ରମଣ ପଜିଟିଭ ଆସିଛି। ଏଥିସହିତ ୯୨ ନମୁନା ପରୀକ୍ଷଣ ରିପୋର୍ଟ ଆସିବା ବାକି ଅଛି। ସ୍ବାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ସରକାର ଦେଶର ସମସ୍ତ ବିମାନ ବନ୍ଦର, ବନ୍ଦର ଏବଂ ସୀମାକୁ ଲାଗିଥିବା ଅଞ୍ଚଳରେ ସ୍କ୍ରିନିଂ ସୁବିଧା ଉପଲବ୍ଧ କରାଇଛନ୍ତି। ସବୁ ରାଜ୍ୟରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଇଟାଲିରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଭାରତରେ ସଂକ୍ରମଣ ବ୍ୟାପୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କରୋନାର ମୁକାବିଲା ପାଇଁ ଭାରତ ସରକାର ଗତ ଜାନୁଆରି ୧୭ ତାରିଖରୁ ପ୍ରସ୍ତୁତି ଚଳାଇଛନ୍ତି। ବିଭିନ୍ନ ବିଭାଗକୁ ନେଇ ନିୟମିତ ସମୀକ୍ଷା ବୈଠକ କରାଯାଉଛି। ଏଥିପାଇଁ ମନ୍ତ୍ରୀଗୋଷ୍ଠୀ ମଧ୍ୟ ଗଠନ କରାଯାଇଛି। ଗତ ଜାନୁଆରି ୧୮ ତାରିଖରୁ ଦେଶରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ଚୀନ, ଜାପାନ, ହଂକଂ, ଇରାନ, ଦକ୍ଷିଣ କୋରିଆ, ନେପାଳ, ଭିଏତନାମ, ସିଙ୍ଗାପୁର, ଥାଇଲାଣ୍ଡ ଆଦି ଦେଶରୁ ଆସିଥିବା ଯାତ୍ରୀମାନଙ୍କୁ ପୂର୍ବରୁ ସ୍କ୍ରିନିଂ କରାଯାଉଥିଲା। ତେବେ ଏବେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। ଦେଶରେ ଏନ୯୫ ମାସ୍କ ଓ ଅନ୍ୟାନ୍ୟ ଉପକରଣର ରପ୍ତାନି ଉପରେ କଟକଣା ଲଗାଯାଇଛି। ପରୀକ୍ଷାନିରୀକ୍ଷା ପାଇଁ ୧୫ଟି ଲାବରେଟୋରି ପ୍ରସ୍ତୁତ କରାଯାଇଛି। ଏଥିସହିତ ଆହୁରି ୧୯ଟି ଲାବରେଟୋରି ତିଆରି କରାଯାଉଛି। କରୋନା ପାଇଁ ଏକ କଲ୍‌ ସେଣ୍ଟର ମଧ୍ୟ କରାଯାଇଛି। ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶାବଳୀ ଆଦି ପାଇବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସରକାର ଯୋଗାଯୋଗରେ ଅଛନ୍ତି। ତେହେରାନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଆଣିବା ପାଇଁ ଭାରତ ସରକାର ଇରାନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସଂସଦରେ କହିଛନ୍ତି।

ସମ୍ବନ୍ଧିତ ଖବର