ଦେଶରେ ଦୈନିକ କରୋନା ସଂକ୍ରମଣ ସାଢ଼େ ୩ ଲକ୍ଷ ଟପିଲା, ୨୮୦୦ରୁ ଅଧିକ କରୋନା ମୃତ୍ୟୁ

ସପ୍ତାହକରେ ୨୨.୫ ଲକ୍ଷ ସଂକ୍ରମଣ, ମୃତ୍ୟୁ ୮୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାଢ଼େ ୩ ଲକ୍ଷ ଟପିଯାଇଛି। ଲଗାତାର ୫ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଛି। ଗତ ୭୨ ଘଣ୍ଟା ମଧ୍ୟରେ ପ୍ରାୟ ୧୦ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୯୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨,୮୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିଯୋଗୁ ଦେଶରେ ଆଜିସୁଦ୍ଧା ମୋଟ ସଂକ୍ରମଣ ମାମଲା ୧ କୋଟି ୭୩ ଲକ୍ଷ ୧୩ ହଜାର୧୬୩ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା‌ ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୭,୭୬୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ୧୪,୪୨୬, ଦିଲ୍ଲୀରେ ୧୨,୨୪୮, ତାମିଲନାଡ଼ୁରେ ୧୩,୫୫୭, ଉତ୍ତରପ୍ରଦେଶରେ ୧୧,୧୬୫, ପଶ୍ଚିମବଙ୍ଗରେ ୧୦,୯୪୧, ପଂଜାବରେ ୮,୪୩୨ ଏବଂ ଆନ୍ଧ୍ରପ୍ରଦେଶରେ ୭,୬୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୩୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ଦିଲ୍ଲୀରେ ୩୫୦, ଉତ୍ତରପ୍ରଦେଶରେ ୨୦୬, ଛତିଶଗଡ଼ରେ ୧୯୯, ଗୁଜରାଟରେ ୧୫୭, କର୍ଣ୍ଣାଟକରେ ୧୪୩ ଏବଂ ଝାଡ଼ଖଣ୍ଡରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ୨୮ ଲକ୍ଷ ୧୩ ହଜାର ୬୫୮ ସକ୍ରିୟ ମାମଲା ରହିଛି। ଏହା ମୋଟ ସଂକ୍ରମଣ ମାମଲାର ୧୬.୨୫ ପ୍ରତିଶତ। ସେହିପରି ୮ ରାଜ୍ୟରେ ୮୦ ପ୍ରତିଶତ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରରେ ୭୦୦୨୦୭ ସକ୍ରିୟ ମାମଲା ଥିବାବେଳେ ଉତ୍ତରପ୍ରଦେଶରେ ୨୯୭୬୧୬, କର୍ଣ୍ଣାଟକରେ ୨୬୨୧୮୧, କେରଳରେ ୨୧୯୨୨୧, ରାଜସ୍ଥାନରେ ୧୩୬୭୦୨, ଛତିଶଗଡ଼ରେ ୧୨୩୮୩୫, ଗୁଜରାଟରେ ୧୧୫୦୦୬, ତାମିଲନାଡ଼ୁରେ ୧୦୫୧୮୦ ସକ୍ରିୟ ମାମଲା ରହିଛି। ଲଗାତାର ଭାବେ ଦେଶରେ ସକ୍ରିୟ ମାମଲା ବଢ଼ୁଛି। ଦେଶରେ ମୋଟ୍‌ ସକ୍ରିୟ ମାମଲାର ୨୪.୮୮ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛି।

ସପ୍ତାହକରେ ୨୨.୫ ଲକ୍ଷ ସଂକ୍ରମଣ, ମୃତ୍ୟୁ ୮୯ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ : ଭାରତରେ ଗତ ସପ୍ତାହର କରୋନା ସଂକ୍ରମଣ ମାମଲା ସାରା ବିଶ୍ବରେ ଏକ ରେକର୍ଡ। ଏପ୍ରିଲ ୧୮ରୁ ୨୫ ମଧ୍ୟ‌ରେ ଦେଶରେ ୨୨.୪୯ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାମାରୀ ଆରମ୍ଭରୁ ଏଯାବତ୍‌ ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ଏତେ ସଂଖ୍ୟକ ସାପ୍ତାହିକ ସଂକ୍ରମଣ ମାମଲା ଚିହ୍ନଟ ହୋଇନି। କେବଳ ସଂକ୍ରମଣ ନୁହେଁ କରୋନା ମୃତ୍ୟୁ ମଧ୍ୟ ବଢ଼ିଛି। ଏପ୍ରିଲ ୧୮ରୁ ୨୫ ମଧ୍ୟରେ ଦେଶରେ ୧୬,୨୫୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାର ପୂର୍ବ ସପ୍ତାହରେ କରୋନା ମୃତ୍ୟୁ ୮,୫୮୮ ଥିଲା। ଫଳରେ ସାପ୍ତାହିକ ମୃତ୍ୟୁ ୮୯ ପ୍ରତିଶତ ଏବଂ ସଂକ୍ରମଣ ୪୭ ପ୍ରତିଶତ ବୃଦ୍ଧି ହୋଇଛି।

ଭାରତ ପୂର୍ବରୁ ଆମେରିକାରେ ସାପ୍ତାହିକ ସଂକ୍ରମଣ ମାମଲା ସର୍ବାଧିକ ୧୭.୯ ଲକ୍ଷ ଥିଲା। ସେହିପରି ବ୍ରାଜିଲ୍‌ରେ ସର୍ବାଧିକ ସାପ୍ତାହିକ ସଂକ୍ରମଣ ମାମଲା ୫.୪ ଲକ୍ଷ ଥିଲା। ବ୍ରିଟେନ୍‌ରେ ଏହା ୪.୩ ଲକ୍ଷ ଏବଂ ତୁର୍କୀରେ ୪.୨ ଲକ୍ଷ ଥିଲା। ଅନ୍ୟ କୌଣସି ଦେଶରେ ସାପ୍ତାହିକ ସଂକ୍ରମଣ ୪ ଲକ୍ଷରୁ ଅଧିକ ନାହିଁ। ତେବେ ଆମେରିକାରେ ବିଶ୍ବର ସର୍ବାଧିକ ସାପ୍ତାହିକ କରୋନା ମୃତ୍ୟୁ ହୋଇଥିଲା। ଆମେରିକାରେ ଗୋଟିଏ ସପ୍ତାହରେ ସର୍ବାଧିକ ୨୩,୪୧୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ବ୍ରାଜିଲ୍‌ରେ ଏହି ସଂଖ୍ୟା ୨୧,୮୬୫ ଥିବାବେଳେ ଭାରତରେ ଏହା ୧୬,୨୫୭ ରହିଛି। ତେଣୁ କରୋନା ମୃତ୍ୟୁକୁ ଦେଖିଲେ ଆମେରିକା ଏବଂ ବ୍ରାଜିଲ୍‌ ତୁଳନାରେ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ରହିଛି। ଅନ୍ୟ ‌କୌଣସି ଦେଶରେ ସା‌ପ୍ତାହିକ କରୋନା ମୃତ୍ୟୁ ୧୦ ହଜାର ଟପିନାହିଁ। ତେବେ ବଢ଼ୁଥିବା ସଂକ୍ରମଣ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ କମିବା ଭଳି ଲାଗୁନି। ବୈଜ୍ଞାନିକଙ୍କ ଗାଣିତିକ ମଡେଲ୍‌ ଅନୁଯାୟୀ ଦେଶରେ ମେ’ ମଧ୍ୟଭାଗ ସୁଦ୍ଧା ସକ୍ରିୟ ମାମଲା ୩୮ରୁ ୪୮ ଲକ୍ଷ ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର