ଭାରତରେ କରୋନା ସଂକ୍ରମଣ, ୨ ଲକ୍ଷ ଛୁଇଁଲା!

ସଂକ୍ରମଣର ଶୀର୍ଷରୁ ଭାରତ ଦୂରରେ: ଆଇସିଏମ୍‌ଆର

ନୂଆଦିଲ୍ଲୀ: କରୋନା ଭାରଇସ୍‌ ବିରୋଧରେ ଭାରତ ଏକଜୁଟ୍‌ ହୋଇ ଲଢ଼ୁଥିବା ବେଳେ ଏବେ ଅନଲକ୍‌-୧ ପର୍ଯ୍ୟାୟରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧୭୧ ମାମଲା ସାମ୍ନାକୁ ଆସିଛି ଏବଂ ୨୦୪ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷରେ ପହଞ୍ଚିଗଲାଣି। ଆଜି ପର୍ଯ୍ୟନ୍ତ ୫୫୯୮ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୭୫୮୧ ରହିଛି। ଦେଶରେ ଏବେ ଦୈନିକ ୧ ଲକ୍ଷ ୨୦ ହଜାର ଲୋକଙ୍କ କରୋନା ପରୀକ୍ଷା ହେଉଛି।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତାମିଲନାଡ଼ୁରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଦେଶର ୨୮ ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ବଢ଼ୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ୭ଟି କେନ୍ଦ୍ର ଶାସିତ ଅଂଚଳରେ ମଧ୍ୟ କରୋନାଭାଇରସ୍‌ ପ୍ରତିଦିନ କାୟା ମେଲାଇ ଚାଲିଛି। ଗତକାଲି ମହାରାଷ୍ଟ୍ରରେ ୨୩୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ୭୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୭୦ ହଜାର ଅତିକ୍ରମ କରିଯାଇଛି ଏବଂ ରାଜ୍ୟରେ ୩୭ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛନ୍ତି। ତାମିଲନାଡ଼ୁରେ ଗତକାଲି ଗୋଟିଏ ଦିନରେ ୧୧୬୨ ମାମଲା ସାମ୍ନାକୁ ଆସିଥିଲା ଏବଂ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୦୦ରେ ପହଞ୍ଚିଛି। ଦିଲ୍ଲୀରେ ମଧ୍ୟ ଗତକାଲି ଗୋଟିଏ ଦିନରେ ୯୯୦ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୧ ହଜାରରେ ପହଞ୍ଚିଯାଇଛି ।

୨୪ ଘଣ୍ଟାରେ ପୁଣି ୮ ହଜାରରୁ ଅଧିକ ଆକ୍ରାନ୍ତ
ଦୈନିକ ୧ ଲକ୍ଷ ୨୦ ହଜାର ଟେଷ୍ଟିଂ

ନୂଆଦିଲ୍ଲୀ: ଭାରତ କୋଭିଡ୍‌ ସଂକ୍ରମଣ ଶୀର୍ଷରେ ପହଞ୍ଚିବାଠାରୁ ବହୁ ଦୂରରେ ଅଛି। ଆଇସିଏମ୍ଆର ବିଶେଷଜ୍ଞ ଡାକ୍ତର ନିବେଦିତା ଗୁପ୍ତା ଆଜି ଆଇସିଏମ୍‌ଆର ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ଯୁଗ୍ମ ବିବୃତି ଜାରି କରିବା ସମୟରେ ଏହା କହିଛନ୍ତି। ସଂକ୍ରମଣ କମାଇବା ଦିଗରେ ଭାରତ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ଖୁବ୍‌ ଫଳପ୍ରଦ ହୋଇଛି ଏବଂ ଦେଶରେ ମୃତ୍ୟୁହାର କମିଛି। ତେବେ ଗୋଷ୍ଠୀ ସଂକ୍ରମଣ ଶବ୍ଦ ବ୍ୟବହାର କରିବା ପରିବର୍ତ୍ତେ ଆମକୁ କେତେ ପରିମାଣରେ ରୋଗ ସଂକ୍ରମଣ ବଢ଼ିଛି ତାହା ବୁଝିବାକୁ ପଡ଼ିବ। ଆମେ ସଂକ୍ରମଣର ଶୀର୍ଷଠାରୁ ବହୁ ଦୂରରେ ଅଛନ୍ତି ବୋଲି ଡାକ୍ତର ନିବେଦିତା କହିଛନ୍ତି। ଦେଶରେ ଏବେ ମୃତ୍ୟୁ ହାର ୨.୮୨ ପ୍ରତିଶତ ରହିଛି। ବିଶ୍ବରେ ଏହା ସବୁଠାରୁ କମ୍‌ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି। ସେହିପରି ଦେଶରେ ୭୩ ପ୍ରତିଶତ କରୋନା ମୃତ୍ୟୁ କ୍ଷେତ୍ରରେ ଲୋକଙ୍କର ଏକାଧିକ ରୋଗ ଥିବା କୁହାଯାଉଛି। ଅଗ୍ରୱାଲ୍‌ କହିଛନ୍ତି ଦେଶରେ ଏବେ ୯୫ ହଜାର ୫୨୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୪୮.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ଟେଷ୍ଟିଂ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର