ନୂଆଦିଲ୍ଲୀ: କେରଳରେ କରୋନା ସଂକ୍ରମଣ ବଢ଼ୁଛି। ମେ’ ମାସରେ ଏଯାବତ ରାଜ୍ୟରେ ୧୮୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲାଣି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି ଏବଂ ମାତ୍ରାଧିକ ସତର୍କତା ଅବଲମ୍ବନ କରିବାପାଇଁ ନାଗରିକଙ୍କୁ ଅନୁରୋଧ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ୍ ଆଜି ରାଜ୍ୟ ଆର୍ଆର୍ଟି ( ରୢାପିଡ ରେସପନ୍ସ ଟିମ୍) ସହ ଏକ ବୈଠକ କରିବାପରେ କହିଛନ୍ତି, ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ମନ୍ତ୍ରୀ ଜର୍ଜ୍ କହିଛନ୍ତି, ଜନସାଧାରଣ ସତର୍କ ରହିବା ଉଚିତ। ଅନ୍ୟ ରାଷ୍ଟ୍ର ଗୁଡ଼ିକରେ ମାମଲା ବଢ଼ୁଛି ଏବଂ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ମନ୍ତ୍ରୀ ବୀଣା ଜର୍ଜଙ୍କ ଅନୁଯାୟୀ କୋଟ୍ଟାୟମରେ ସର୍ବାଧିକ ୫୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ଏର୍ନାକୁଲମରେ ୩୪ ଏବଂ ଥିରୁଅନନ୍ତପୁରମରେ ୩୦ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ କେରଳର ମୋଟ୍ ସଂକ୍ରମଣ ମାମଲା ଚଳିତ ସପ୍ତାହରେ ୨୫୦ ଟପିଯାଇଛି। ହଂକଂ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଜର୍ଜ କହିଛନ୍ତି, ଓମିକ୍ରନ୍ ଉପପ୍ରଜାତି ଜେଏନ୍.୧, ଏଲଏଫ୍.୭ ଏବଂ ଏନ୍ବି ୧.୮ ଏବେ ଦକ୍ଷିଣପୂର୍ବ ଏସିଆରେ ବ୍ୟାପିବାରେ ଲାଗିଛି। କେରଳ ସ୍ବାସ୍ଥ୍ୟ ବିଭାଗ କରୋନା ସଂକ୍ରମଣ ବୃଦ୍ଧି ନେଇ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି ଏବଂ ସେଗୁଡ଼ିକ ହେଉଛି-
ଥଣ୍ଡା, କାଶ କିମ୍ବା ନିଶ୍ବାସ ନେବାରେ କଷ୍ଟ ହେଲେ ମାସ୍କ ପିନ୍ଧ
ହସ୍ପିଟାଲ୍ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଗର୍ଭବତୀ,ବୟସ୍କ ଏବଂ ରୋଗପ୍ରତିରୋଧକ ଶକ୍ତି କମ୍ ଥିବା ଲୋକ ମାସ୍କ ପିନ୍ଧିବା ଉଚିତ
ସ୍ବାସ୍ଥ୍ୟକର୍ମୀମାନେ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବର ଜରୁରୀ