ନୂଆଦିଲ୍ଲୀ : ଦେଶରେ ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ କମି ଆସିବାରେ ଲାଗିଛି। ଶନିବାର ଦେଶରେ ଦୈନିକ ସଂକ୍ରମଣ ଗତ ଦୁଇ ମାସ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଆସି ୧.୧୪ ଲକ୍ଷରେ ପହଞ୍ଚିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବଦିନ ଅପେକ୍ଷା ପାଖାପାଖି ୭୦୦ କମିଛି। ସେହିପରି ତିନି ସପ୍ତାହରୁ ଅଧିକ ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରିବା ସହ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିବା ପ୍ରକ୍ରିୟା ଜାରି ରହିବା ଆଶ୍ବସ୍ତିର ବିଷୟ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ଦେଶରେ ୧,୧୪,୪୬୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୨୧,୪୧୦ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଥିବା ବେଳେ ତାହା ପଛକୁ କେରଳରେ ୧୭,୩୨୮ ଜଣ, କର୍ଣ୍ଣାଟକରେ ୧୩,୮୦୦ ଜଣ, ମହାରାଷ୍ଟ୍ରରେ ୧୩,୬୫୯ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୦,୩୭୩ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୬୬.୯ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଦିନକ ଭିତରେ ଦେଶରେ ୨,୬୭୭ ଜଣ କୋଭିଡ୍ ପୀଡ଼ିତ ଆଖି ବୁଜିଥିବା ଜଣାଯାଇଛି। ଅଦ୍ୟାବଧି ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୪୬,୭୫୯ରେ ପହଞ୍ଚିଛି। ଶନିବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୪୧ ଜଣ ଆଖି ବୁଜିଛନ୍ତି। ଏହି ନୂଆ ମୃତ୍ୟୁ ମାମଲା ସହିତ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଯାଇଛି। ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୪୪୩ ଜଣ, କର୍ଣ୍ଣାଟକର ୩୬୫ ଜଣ, କେରଳର ୨୦୯ ଜଣ ଓ ଉତ୍ତରପ୍ରଦେଶରେ ୧୨୦ ଜଣଙ୍କର ମୃତ୍ୟୁ ଘଟିଛି।
ଅପରପକ୍ଷେ, ଲଗାତାର ୨୪ ଦିନ ପାଇଁ ଶୁକ୍ରବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍ ପୀଡ଼ିତ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୮୯,୨୩୨ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୬୯,୮୪,୭୮୧ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି।
ଏଥି ସହିତ ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୭୭,୪୪୯ ଖସି ଆସିବା ସହ ବିଗତ ୫୨ ଦିନ ପରେ ୧୫ ଲକ୍ଷ ତଳେ ପହଞ୍ଚିଛି(୧୪,୭୭,୭୯୯)। ଲଗାତାର ତେର ଦିନ ପାଇଁ ଏପରି ସକ୍ରିୟ ହାର ୧୦ ପ୍ରତିଶତର ଯଥେଷ୍ଟ ତଳେ(୫.୧୩%) ରହିଛି। ସେହିପରି ଆରୋଗ୍ୟ ହାର ମଧ୍ୟ ୯୩.୬୭ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଅପରପକ୍ଷେ, ଗତ ୨୪ ଘଣ୍ଟାରେ ୩୩,୫୩,୫୩୯ ଜଣଙ୍କର ଟିକାକରଣକୁ ମିଶାଇ ଅଦ୍ୟାବଧି ଦେଶରେ ମୋଟ ୨୩,୧୩,୨୨,୪୧୭ ଜଣଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ସେହିପରି ଏହି ଦିନକ ଭିତରେ ୨୦,୩୬,୩୧୧ ଜଣଙ୍କର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଅଦ୍ୟାବଧି ଦେଶରେ ମୋଟ ୩୬,୪୭,୪୬,୫୨୨ ଜଣଙ୍କର କୋଭିଡ୍ ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ସୂଚନାରୁ ସ୍ପଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/corona-bbb-1.jpg)