ନୂଆଦିଲ୍ଲୀ: କରୋନାକୁ ମୁକାବିଲାକୁ ନେଇ ଏକ ବଡ଼ ଖବର ଆସିଛି । ଚର୍ମରୋଗ ଚିକିତ୍ସା ଲାଗି  ବ୍ୟବହାର ହେଉଥିବା ଏକ ଇଂଜେକ୍ସନକୁ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ ପାଇଁ ମିଳିଛି ଅନୁମତି । ଦୀର୍ଘଦିନ ହେଲା ଚର୍ମରୋଗ ସୋରିଆସିସ୍ କ୍ଷେତ୍ରରେ  ପ୍ରୟୋଗ ହୋଇ ଆସୁଥିଲା ଆଣ୍ଟିବଡି ଇଂଜେକସନ୍  ଆଇଟୋଲିଜୁମାବ । ଏବେ ମଧ୍ୟମଧରଣର ଓ ଅତି ଜଟିଳ କରୋନା ଆକ୍ରାନ୍ତଙ୍କ ଉପରେ ଏହି ଇଂଜେକ୍ସନର ନିୟନ୍ତ୍ରିତ ପ୍ରୟୋଗ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) । କରୋନା ଭୂତାଣୁ ଆକ୍ରାନ୍ତଙ୍କ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଉଥିବାରୁ ଏହି ଇଂଜେକ୍ସନ ବିଶେଷ ଫଳପ୍ରଦ ହେବା ଆଶା କରାଯାଉଛି । ଏହାର କ୍ଲିନିକାଲ ଟ୍ରାଏଲ ବା ନୈଦାନିକ ପରୀକ୍ଷଣରୁ ସୁଫଳ ମିଳିବା ପରେ ଏହି ଅନୁମତି ଦିଆଯାଇଛି ।

Advertisment

ସେପଟେ ଦେଶରେ ୮ ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨୭ ହଜାର ୧୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୫୧୯ ଜଣଙ୍କ ମୁଣ୍ଡ ନେଇଛି କୋଭିଡ୍ ୧୯ ଭୂତାଣୁ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ରେ ପହଁଚି ଯାଇଛି । ସେହିପରି ସାରା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ଅତିକ୍ରମ କରିଛି । ୫୧୯ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୨ ହଜାର ୧୨୩ ହୋଇଯାଇଛି । ଦେଶରେ ଏବେ ୨ ଲକ୍ଷ ୮୩ ହଜାର ୪୦୭ ଜଣ ନୂଆ ଆକ୍ଟିଭ୍ କେସ୍ ରହିଛି ।