କୋଲକତା : ସାରା ଦେଶରେ ଆଜି ରେକର୍ଡ ୯୫ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏକ ଅଜବ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ ପ୍ରକୃତରେ ପଶ୍ଚିମବଙ୍ଗରେ କରୋନା ଆଉ ନାହିଁ । କେବଳ ମିଛଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକଡାଉନ ଲାଗୁ କରୁଛନ୍ତି ଯେପରିକି ବିଜେପି ରାଜ୍ୟରେ ର୍ୟାଲି କରିପାରିବ ନାହିଁ ।
ହୁଗୁଳି ଜିଲ୍ଲାରେ ଏକ ଜନସଭାରେ ସେ କହିଛନ୍ତି ଯେ ମମତା ବାନାର୍ଜୀ ଜାଣିଶୁଣି ଲକଡାଉନ ଲାଗୁ କରିଛନ୍ତି ଯେପରିକି ବିଜେପି ଜନସଭା ଓ ର୍ୟାଲି କରିପାରିବ ନାହିଁ । ବିଜେପି ଜନସଭାରେ ଏତେ ଲୋକଦେଖି ତୃଣମୂଳ କର୍ମୀମାନେ ସହିପାରୁନାହାନ୍ତି । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ତେବେ ତାଙ୍କ ଜନସଭାରେ ଅନେକ ଲୋକ ଏକତ୍ରିତ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ପରି ଗାଇଡଲାଇନ ପାଳନ କରାଯାଇନଥିଲା ।
ଦିଲୀପଙ୍କ ଏହି ମନ୍ତବ୍ୟକୁ ତୃଣମୂଳ ପକ୍ଷରୁ ସମାଲୋଚନା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୫,୬୨,୪୧୪ରେ ପହଞ୍ଚିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୭୬,୨୭୧ରେ ପହଞ୍ଚିଛି । ପଶ୍ଚିମବଙ୍ଗରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୩,୧୭୫ ଓ ମୃତ୍ୟୁସଂଖ୍ୟା ୩୭୦୦ ରେ ପହଞ୍ଚିଛି ।