ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଅଧିକ ବିପଦ, ଶୀଘ୍ର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଉଛି

ଗର୍ଭଧାରଣ ସ୍ଥଗିତ ରଖିବାକୁ ମହିଳାଙ୍କୁ ପରାମର୍ଶ ଦେଲା ବ୍ରାଜିଲ୍‌

ଅହମଦାବାଦ୍‌/ସୁରତ/ରାଜକୋଟ : ଦ୍ବିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହୋଇଛି। ଚଳିତ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ସବୁ ରାଜ୍ୟରେ ମାଡ଼ିଲାଣି। ଗୁଜରାଟରେ ମଧ୍ୟ ଗତ ୨୪ ଘଣ୍ଟାରେ ୯,୫୪୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଗୁଜରାଟରେ ଡାକ୍ତରମାନେ କହିଛନ୍ତି, ଦ୍ବିତୀୟ ଲହରରେ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। କେବଳ ଗର୍ଭବତୀମାନେ କରୋନା ସଂକ୍ରମିତ ହେଉନାହାନ୍ତି ବରଂ ଆଇସିୟୁରେ ମଧ୍ୟ ଏମାନଙ୍କ ସଂଖ୍ୟା ବଢ଼ୁଛି। ପ୍ରଥମ ଲହରରେ ଗର୍ଭବତୀଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ଦେଖାଦେଉଥିଲା। କିନ୍ତୁ ଦ୍ବିତୀୟ ଲହରରେ ସଂକ୍ରମିତ ହୋଇଥିବା ଗର୍ଭବତୀ ମହିଳାମାନେ ହଠାତ୍‌ ଗୁରୁତର ହୋଇ ଯାଉଛନ୍ତି ଏବଂ ସେମାନେ ଅଧିକ ବିପଦରେ ରହୁଛି।

ଗୁଜରାଟର ଏସ୍‌ଭିପି ହସ୍ପିଟାଲ୍‌ ୭୦୦ କୋଭିଡ୍‌ ପଜିଟିଭ୍‌ ଗର୍ଭବତୀ ମହିଳାଙ୍କ କେସ୍‌ ହ୍ୟାଣ୍ଡେଲ୍‌ କରୁଛି କିନ୍ତୁ ଏହା ଗୋଟିଏ କେସ୍‌ ହରାଇ ଦେଇଛି। ଚଳିତ ଲହରରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି। ସରକାରୀ ଅଫିସର୍‌ ଶ୍ବେତା ମେହଟା ସାହୁ ୯ ମାସର ଗର୍ଭବତୀ ଥିଲେ। ଡାକ୍ତରମାନେ ସୁରକ୍ଷିତ ଭାବେ ତାଙ୍କର ଡେଲିଭରି କରାଇଥିଲେ। କିନ୍ତୁ ଉଭୟ ମା’ ଏବଂ ଝିଅଙ୍କର ମୃତ୍ୟୁ ହୋଇଯାଇଛି। ଏସ୍‌ଭିପିରେ ଏବେ ୩ ଜଣ କରୋନା ପଜିଟିଭ୍‌ ଗର୍ଭବତୀ ମହିଳା ଭେଣ୍ଟିଲେଟର‌୍‌ରେ ଅଛନ୍ତି। ସୁରତରେ ଡାକ୍ତରମା‌ନେ କହିଛନ୍ତି, ଚଳିତ ଲହରରେ ୨୦-୩୦ ବର୍ଷ ମଧ୍ୟରେ ଅଧିକାଂଶ ଗର୍ଭବତୀ ମହିଳା କରୋନା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ। ଗତ ଲହରରେ ସଂକ୍ରମିତ ଗର୍ଭବତୀ ମହିଳାମାନେ ବିନା କୌଣସି କଷ୍ଟରେ ଆରୋଗ୍ୟ ହୋଇଯାଉଥିଲେ। କିନ୍ତୁ ଚଳିତ ଲହରରେ ଅଧିକାଂଶ ଗର୍ଭବତୀଙ୍କର ଅକ୍ସିଜେନ୍‌ ସାହାଯ୍ୟ ଦରକାର ହେଉଛି। ‌ସେହିପରି ରାଜକୋଟରେ ମଧ୍ୟ ଅଧିକ ଗର୍ଭବତୀ ମହିଳା ଏବଂ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଦ୍ବିତୀୟ ଲହରରେ ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଅଧିକ ବିପଦ ହୋଇଥିବାରୁ ବ୍ରାଜିଲ୍‌ ମହିଳାମାନଙ୍କୁ ଗର୍ଭଧାରଣ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ବ୍ରାଜିଲ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରାଥମିକ ସ୍ବାସ୍ଥ୍ୟ ସେବା ସଚିବ ରାଫାଏଲ୍‌ କାମରା ଏହି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର