ନୂଆଦିଲ୍ଲୀ : ଓଡିଶାରେ ଏବେ କରୋନା ସଂକ୍ରମଣ ଚିନ୍ତାର ବିଷୟ ନୁହେଁ, ବର୍ତ୍ତମାନ ଏହା ଗମ୍ଭୀର ପର୍ଯ୍ୟବେକ୍ଷଣର ବିଷୟ- ସମ୍ବାଦ ସହିତ ଏକ ବିଶେଷ ବାର୍ତ୍ତାଳାପରେ ଏ କଥା କହିଛନ୍ତି ଆଇଆଇଟି କାନପୁରରେ ଦେଶରେ କରୋନା ସଂକ୍ରମଣର ସ୍ଥିତି ଆକଳନ କରିବା ପାଇଁ ‘ସୂତ୍ର ମଡେଲ’ ପ୍ରସ୍ତୁତ କରିଥିବା ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ। ପ୍ରଫେସର ଅଗ୍ରୱାଲ କହିଥିଲେ, ସୂତ୍ର ମଡେଲ ଅନୁସାରେ ରାଜ୍ୟରେ ସଂକ୍ରମଣକୁ ନେଇ ଯେଉଁ ଆକଳନ କରାଯାଇଥିଲା ଫଳ ସେଭଳି ପ୍ରତୀୟମାନ ହେଉଛି ଏବଂ ଆମର ଆକଳନ ସହିତ ଖାପ ଖାଉଛି। ମେ ମାସ ଆରମ୍ଭରେ ସଂକ୍ରମଣ ଗାଆଁରେ ପଶିବା ଯୋଗୁଁ ମାମଲା ବଢିବାକୁ ଲାଗିଲା। ଏହାପରେ ରାଜ୍ୟରେ ଲକ୍ଡାଉନ୍ ହେଲା। ତା’ର କିଛିଦିନ ପରେ ପ୍ରଭାବ ଦେଖିବାକୁ ମିଳିଛି ଏବଂ ମାମଲାରେ ହ୍ରାସ ଘଟୁଛି। ହେଲେ ହ୍ରାସର ଗତି ଏବେ ବି ଦ୍ରୁତ ନୁହେଁ। ଏବେ ବି ସଂକ୍ରମଣ ନୂଆ ନୂଆ ସ୍ଥାନରେ ହେଉଛି। ଯେତେବେଳେ ନୂଆ ସ୍ଥାନମାନଙ୍କରେ ଏହାର ପ୍ରଭାବ କମିଯିବ ସେତେବେଳେ ସଂକ୍ରମଣ ହ୍ରାସର ଗତିରେ ତୀବ୍ରତା ଆସିବ ବୋଲି ପ୍ରଫେସର ଅଗ୍ରୱାଲ କହିଥିଲେ। ଏହାର ଅର୍ଥ କରୋନା ଏବେ ବି ଓଡିଶା ପାଇଁ ଚିନ୍ତାର ବିଷୟ କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ, ଏହା ଆଦୌ ଚିନ୍ତାର ବିଷୟ ନୁହେଁ ବରଂ ଏହା ଗମ୍ଭୀର ପର୍ଯ୍ୟବେକ୍ଷଣର ବିଷୟ।
ସଂକ୍ରମଣ ମାମଲା ସପ୍ତାହେ ହେଲା କମିବାରେ ଲାଗିଲାଣି, ଏହାର ଅର୍ଥ ହେଉଛି ରାଜ୍ୟରେ ସଂକ୍ରମଣକୁ ରୋକିବା ତଥା ନିୟନ୍ତ୍ରଣ କରିବାକୁ ନେଇ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହା ଫଳପ୍ରଦ ହେଉଛି ବୋଲି ପ୍ରଫେସର ଅଗ୍ରୱାଲ କହିଥିଲେ। ଯେଉଁସବୁ ପଦକ୍ଷେପ ବର୍ତ୍ତମାନ ନିଆଯାଉଛି, ତାକୁ ଜାରିରଖିବା ସହିତ ଲଗାତାର ସମୀକ୍ଷା କରାଯିବା ଉପରେ ସେ ଗୁରୁତ୍ବ ଦେଇଥିଲେ। କଡା ଲକ୍ଡାଉନ୍ରେ ଜନସାଧାରଣ ଅତିଷ୍ଠ ହେବାର ସମ୍ଭାବନା ରହିଥିବାରୁ ଟିକେ କୋହଳ କରାଯାଇ ଲକ୍ଡାଉନ୍ ଜାରି ରଖିଲେ ସାମାନ୍ୟ ମାମଲା ବଢିଲେ ବି କିଛି ଫରକ ପଡିବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
କରୋନା ସଂକ୍ରମଣର ତୃତୀୟ ଲହରକୁ ନେଇ ବର୍ତ୍ତମାନ ଦେଶରେ ବିଭିନ୍ନ ଆଶଙ୍କା ପ୍ରକାଶ କରାଯାଉଥିବାବେଳେ ଏ ନେଇ ତାଙ୍କ ସୂତ୍ର ମଡେଲ କିଛି ଆକଳନ କରିଛି କି ବୋଲି ପ୍ରଶ୍ନ କରାଯିବାରୁ ପ୍ରଫେସର ଅଗ୍ରୱାଲ କହିଥିଲେ ଯେ, ସୋମବାର ସୁଦ୍ଧା ତୃତୀୟ ଲହରକୁ ନେଇ ସୂତ୍ର ମଡେଲର ଏକ ବିସ୍ତୃତ ରିପୋର୍ଟ କାରି କରାଯିବ। ତେବେ ତୃତୀୟ ଲହର ଛୋଟ ଏବଂ ଦୁର୍ବଳ ହୋଇପାରେ। ସୂତ୍ର ମଡେଲର ସଂକେତରୁ ଯାହା ଜଣାପଡୁଛି ଆଗକୁ ଏହା ବଢିବାର ଟ୍ରେଣ୍ଡ୍ ଦେଖାଉନାହିଁ। ପ୍ରାରମ୍ଭିକ ଆକଳନରୁ ଯାହା ଜଣାପଡୁଛି, ଭାରତରେ ତୃତୀୟ ଲହର ବ୍ୟାପକ ହୋଇ ନ ପାରେ,ଏହା ପ୍ରଥମ ଓ ଦ୍ବିତୀୟ ଲହର ତୁଳନାରେ ବହୁତ ଦୁର୍ବଳ ହୋଇପାରେ। ଭାରତରେ ଟିକାକରଣରେ ଅଗ୍ରଗତି ହେଉଛି ଏବଂ ଏହାର ପ୍ରଭାବ ନିଶ୍ଚିତରୂପେ ଦେଖିବାକୁ ମିଳିବ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ସଂକ୍ରମଣର ସ୍ଥିତିକୁ ନେଇ ଗତ ଏପ୍ରିଲ ମାସରେ ଆଇଆଇଟି କାନପୁରର ‘ସୂତ୍ର ମଡେଲ’ର ପୂର୍ବାନୁମାନ ପ୍ରକାଶ କରି ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଏବଂ ଅନେକ ରାଜ୍ୟ ତାଙ୍କର ମଡେଲ ଅନୁକରଣ କରି ସଂକ୍ରମଣ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।