କରୋନା କାରୁଣ୍ୟ: ୧୫ ଲକ୍ଷ ଶିଶୁ ଅନାଥ; ଭାରତରେ ୧,୧୯,୦୦୦

ୱାସିଂଟନ୍‌ : କରୋନା ମହାମାରୀ ଅନେକ ଶିଶୁଙ୍କୁ ଅନାଥ କରିଦେଇଛି। ସମଗ୍ର ବିଶ୍ବରେ ୧୫ ଲକ୍ଷରୁ ଅଧିକ ଶିଶୁ ମହାମାରୀ ପାଇଁ ସେମାନଙ୍କ ବାପା, ମା’ କିମ୍ବା ସେମାନଙ୍କର ଯତ୍ନ ନେଉଥିବା ଅଭିଭାବକଙ୍କୁ ହରାଇଛନ୍ତି। କରୋନା ମହାମାରୀର ପ୍ରଥମ ୧୪ ମାସରେ କେବଳ ଭାରତରୁ ୧,୧୯,୦୦୦ ଶିଶୁ ସେମାନଙ୍କ ବାପା କିମ୍ବା ମା’ କିମ୍ବା ସେମାନଙ୍କର ଯତ୍ନ ନେଇଥିବା ଅନ୍ୟ ସମ୍ପର୍କୀୟଙ୍କୁ ହରାଇଛନ୍ତି। ଲାନ୍‌ସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡ୍ରଗ୍‌ ଆବ୍ୟୁଜ୍‌ (ନିଦା) ଏବଂ ଏନ୍‌ଆଇଏଚ୍‌ ସହଯୋଗରେ ଏହି ଅଧ୍ୟୟନ ହୋଇଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାରତରେ ୨୫,୫୦୦ ଶିଶୁ ସେମାନଙ୍କ ମା’ଙ୍କୁ ହରାଇଛନ୍ତି ଏବଂ ୯୦,୭୫୧ ଜଣ ସେମାନଙ୍କ ବାପାଙ୍କୁ ହରାଇଛନ୍ତି। ୧୨ ଜଣ ଶିଶୁ ଉଭୟ ବାପା ଏବଂ ମା’ଙ୍କୁ ହରାଇଛନ୍ତି।

ଅଧ୍ୟୟନ ଅନୁଯାୟୀ, ୧,୧୩୪,୦୦୦ ଶିଶୁ ସେମାନଙ୍କ ବାପା ମା’ କିମ୍ବା ସେମାନଙ୍କ ଯତ୍ନ ନେଉଥିବା ଜେଜେବାବା, ଜେଜେମା’ଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧୦,୪୨୦୦୦ ସେମାନଙ୍କ ମା’ , ବାପା କିମ୍ବା ଉଭୟଙ୍କୁ ହରାଇ ଦେଇଛନ୍ତି। ଅଧିକାଂଶ ଶିଶୁ ବାପା ଏବଂ ମା’ଙ୍କ ମଧ୍ୟରୁ କେବଳ ଜଣଙ୍କୁ ହରାଇଛନ୍ତି। ଦକ୍ଷିଣ ଆଫ୍ରିକା‌, ପେରୁ, ଆମେରିକା, ଭାରତ, ବ୍ରାଜିଲ୍‌ ଏବଂ ମେକ୍ସିକୋରେ ଅଧିକାଂଶ ଶିଶୁ ସେମାନଙ୍କ ପ୍ରାଥମିକ ଅଭିଭାବକ (ବାପା ମା’ କିମ୍ବା ଦାୟିତ୍ବ ନେଇଥିବା ଜେଜେ ବାପା ମା’)ଙ୍କୁ ହରାଇଛନ୍ତି। ଭାରତରେ ୨୦୨୧ ମାର୍ଚ୍ଚ ତୁଳନାରେ ଏପ୍ରିଲ୍‌ ମାସରେ ଶିଶୁମାନେ ଅନାଥ ହେବା ୮.୫ ଗୁଣା ବୃଦ୍ଧି ହୋଇଛି। ମାର୍ଚ୍ଚରେ ୫,୦୯୧ ଶିଶୁ ଅନାଥ ‌ହୋଇଥିବା ବେଳେ ଏପ୍ରିଲ୍‌ରେ ୪୩,୧୩୯ ଶିଶୁ ଅନାଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ୨,୮୯୮ ଭାରତୀୟ ଶିଶୁ ସେମାନଙ୍କର ଯତ୍ନ ନେଉଥିବା‌ ଜେଜେ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଉଭୟ ଜେଜେବାପା ଏବଂ ମା’ଙ୍କୁ ହରାଇଛନ୍ତି।

ଆମେରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ଡାକ୍ତର ସୁସାନ ଗିଲ୍ସ କହିଛନ୍ତି, ବିଶ୍ବବ୍ୟାପୀ ପ୍ରତି ୨ କୋଭିଡ୍‌ ମୃତ୍ୟୁରେ ଜଣେ ଶିଶୁ ନିଜ ବାପା କିମ୍ବା ମା’ଙ୍କୁ ହରାଉଛନ୍ତି। ଏହି ଶିଶୁମାନଙ୍କୁ ସୁରକ୍ଷା ଏବଂ ସମର୍ଥନ ଦେବା ପାଇଁ ବିଶ୍ବବ୍ୟାପୀ ନିଷ୍ଠାପର ପ୍ରୟାସ ଉପରେ ଗିଲ୍ସ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର