କରୋନା ମାତା ମନ୍ଦିର ଭଙ୍ଗା ଘଟଣା: ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମାତା ମନ୍ଦିର ଭଙ୍ଗାଯିବା ଘଟଣାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ଆଜି ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ଦମ୍ପତିଙ୍କ ଦ୍ୱାରା ନିର୍ମିିତ ଏହି ମନ୍ଦିର ଭଙ୍ଗାଯିବା ଘଟଣାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଗତ କରାଯାଇଥିଲା।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ ଜଷ୍ଟିସ୍‌ ଏମ୍‌ଏମ୍‌ ସୁନ୍ଦରେଶଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିବା ସହ ଆବେଦନକାରୀଙ୍କୁ ୫୦୦୦ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ବିବାଦୀୟ କରୋନା ମାତା ମନ୍ଦିରକୁ ଉତ୍ତରପ୍ରଦେଶ ପ୍ରତାପଗଡ଼ର ଜୁହି ଶୁକୁଲପୁର ଗ୍ରାମରେ ରହୁଥିବା ଏକ ଦମ୍ପତି ନିଜ ଜମି ଉପରେ ନିର୍ମାଣ କରିଥିଲେ। ଗତ ଜୁନ୍‌ ୭ ତାରିଖରେ ପ୍ରତିଷ୍ଠା କରାଯାଇଥିବା ଏହି ମନ୍ଦିରକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହେବା ପରେ ଜୁନ୍‌ ୧୧ ତାରିଖ ରାତିରେ ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାକୁ କେନ୍ଦ୍ରକରି ସୁପ୍ରିମ୍‌କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଗତ କରା ଯାଇଥିଲା।

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଆବେଦନକାରୀଙ୍କ ବିବାଦ ହେଉଛି ଏହା ହେଉଛି ତାଙ୍କର ବ୍ୟକ୍ତିଗତ ଜମି ଏବଂ ମନ୍ଦିରର ନିର୍ମାଣ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି; ତଥାପି ଲୋକଙ୍କୁ ଅନ୍ଧବିଶ୍ୱାସ କାର୍ଯ୍ୟକଳାପରେ ଫସିଯିବାକୁ ରୋକିବା ପାଇଁ ୟୁପିର ପ୍ରତାପଗଡ଼ରେ ଏହି ମନ୍ଦିରକୁ ଭାଙ୍ଗାଗଲା। ଏପର୍ଯ୍ୟନ୍ତ ଆବେଦନକାରୀ ଦେଶବାସୀଙ୍କୁ ସଂକ୍ରମିତ କରୁଥିବା ଅନ୍ୟ ସମସ୍ତ ସମ୍ଭାବ୍ୟ ରୋଗ ପାଇଁ ମନ୍ଦିର ନିର୍ମାଣ କରିନାହାନ୍ତି। ଅନ୍ୟପକ୍ଷରେ ଏହି ଘଟଣା ଧାରା ୩୨ର ଅପବ୍ୟବହାର ଅଟେ। ତେଣୁ, ଏହି ଆବେଦନକୁ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ୫ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ।

ସମ୍ବନ୍ଧିତ ଖବର