ଦିଲ୍ଲୀରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୧୦,୪୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣ ସଂକ୍ରମିତଙ୍କର ଜୀବନ ଯାଇଛି । ଏହାସହ ପଜିଟିଭ୍ ହାର ବି କମିବାରେ ଲାଗିଛି । ଆଜିର ସଂକ୍ରମିତଙ୍କୁ ହିସାବ କଲେ ସଂକ୍ରମିତ ହାର ୧୪.୨୧ ପ୍ରତିଶତରେ ପହଂଚିଛି । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେ ୧୫,୧୮୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ୪୮,୩୪୦ ଜଣ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୭୩,୬୭୫ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଛି ।

ଗୋଟେ ପଟେ କରୋନା ସଂକ୍ରମଣ ହାର କମୁଥିବା ବେଳେ କରୋନା ସଂକ୍ରମଣରେ ମୃତ୍ୟୁ ହାର ବଢିବାରେ ଲାଗିଛି । ଏବେ ଦିଲ୍ଲୀରେ କରୋନା ସଂକ୍ରମଣରେ ମୃତ୍ୟୁହାର ୧.୫୦ ପ୍ରତିଶତ ରହିଛି ।

କହିରଖୁ ଏପ୍ରିଲ ୨୬ ତାରିଖରେ ଦିଲ୍ଲୀରେ ପଜିଟିଭ ହାର ୩୫ ପ୍ରତିଶତ ରହିଥିଲା । ହେଲେ ୧୭ ଦିନ ମଧ୍ୟରେ ଏବେ ଦିଲ୍ଲୀରେ ପଜିଟିଭ୍ ହାର ଅଧା ହୋଇଛି । ସଂକ୍ରମଣ କମିବା ଫଳରେ ଦିଲ୍ଲୀରେ ବି ଅକ୍ସିଜେନର ଆବଶ୍ୟକତା କମିବାରେ ଲାଗିଛି । ଏନେଇ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ୭୦୦ ନୁହେଁ ଏବେ ଦୈନିକ ୫୮୨ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା କଥା କହିଛନ୍ତି ।

ସମ୍ବନ୍ଧିତ ଖବର