କରୋନା ଏବେ ଅନିୟନ୍ତ୍ରିତ, ଦିନକରେ ୨ ଲକ୍ଷ ୧୭ ହଜାର ସଂକ୍ରମିତ

ମୁଖ୍ୟମନ୍ତ୍ରୀଙ୍କ ସହ ହର୍ଷବର୍ଦ୍ଧନଙ୍କ ବୈଠକ ଆଜି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି। ଆଜି ଗୋଟିଏ ଦିନରେ ଦେଶରେ ୨,୧୭,୩୫୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୧୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମାତ୍ର ୬ ଦିନରେ ଦେଶରେ ୧୦ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୧୦ ତାରିଖରେ ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୩,୨୦୫,୯୨୬ ଥିବା ବେଳେ ଏପ୍ରିଲ୍‌ ୧୬ରେ ଏହା ୧୪,୨୯୧,୯୨୭କୁ ବୃଦ୍ଧି ପାଇଛି। ମାତ୍ର ୬ ଦିନରେ ଦେଶରେ ୧,୦୮୬,୦୦୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୋଟିଏ ଦିନରେ ୨ ଲକ୍ଷ ୧୭ ହଜାରରୁ ଅଧିକ ସଂକ୍ରମଣ ମାମଲା ସହ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୪୨,୯୧,୯୧୭ ପହଞ୍ଚିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ଟପିଯାଇଛି। ଗତକାଲି ୧୧୮୫ କରୋନା ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୧,୭୪,୩୦୮କୁ ବୃଦ୍ଧି ପାଇଛି। ଲଗାତାର ୩୭ ଦିନ ଧରି ସଂକ୍ରମଣ ମାମଲା ବଢ଼ୁଥିବାରୁ ଆଜି ଏହା ୧୫,୬୯,୭୪୩କୁ ବୃଦ୍ଧି ପାଇଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୦.୯୮ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ପଜିଟିଭ୍‌ ହାର ପୁଣିଥରେ ୮୭.୮୦ ପ୍ରତିଶତକୁ ଖସି ଆସିଛି। ତେବେ ମୃତ୍ୟୁହାର ୧.୨୨ ପ୍ରତିଶତ ରହିଛି। ଆଇସିଏମ୍ଆର ତଥ୍ୟ ଅନୁଯାୟୀ ଦେଶ‌ରେ ଏଯାବତ୍‌ ୨୬,୩୪,୭୬,୬୨୫ ନମୁନା ପରୀକ୍ଷା ହୋଇଛି। ଏପ୍ରିଲ ୧୫ ତାରିଖରେ ୧୪,୭୩,୨୧୦ ନମୁନା ପରୀକ୍ଷା ‌ହୋଇଛି।

ଦୈନିକ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ। ହର୍ଷବର୍ଦ୍ଧନ ମଧ୍ୟ ସୋମବାର ଏମ୍ସର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର