କ‌ରୋନା ଅନାଥ ଶିଶୁଙ୍କ ସୁରକ୍ଷା ପ୍ରସଙ୍ଗ: ବାଲ୍‌ ସ୍ବରାଜ ପୋର୍ଟାଲରେ ବିବରଣୀ ଅପଲୋଡ୍‌ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କ‌ରୋନା ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁମାନଙ୍କ ବିବରଣୀ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର୍‌)ଙ୍କ ବାଲ ସ୍ବରାଜ ପୋର୍ଟାଲରେ ଅପଲୋଡ୍‌ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସୁପ୍ରିମକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଅନାଥ ଶିଶୁଙ୍କ ଚିହ୍ନଟ ବିବରଣୀ, ଶିଶୁର ସାମାଜିକ ପୃଷ୍ଠଭୂମି, ବ୍ୟକ୍ତିଗତ ଯତ୍ନ ଯୋଜନାରେ ସାହାଯ୍ୟ ପାଇଁ କରାଯାଇଥିବା ସୁପାରିଶ ଆଦି ସୂଚନା ଛଅଟି ପର୍ଯ୍ୟାୟରେ ପୋର୍ଟାଲରେ ଅପଲୋଡ୍‌ କରିବାକୁ କୁହାଯାଇଛି।

ପୋର୍ଟାଲରେ ସ୍ଥାନିତ ହୋଇନଥିବା ଶିଶୁମାନଙ୍କୁ ଶିଶୁ କଲ୍ୟାଣ କମିଟି ନିକଟରେ ଯଥାଶୀଘ୍ର ଉପସ୍ଥାପନ କରି ତଦନ୍ତ ପ୍ରକ୍ରିୟାକୁ ଶୀଘ୍ର ‌ଶେଷ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏପ୍ରିଲ ୧, ୨୦୨୦ ପର ଠାରୁ ୧୨୩୧ ଜଣ ଶିଶୁ ଅନାଥ ହୋଇଥିବା ତଥା ୨୩ ହଜାର ୬୫୪ ଜଣ ଶିଶୁ ବାପା ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ସୂଚନା ପ୍ରଦାନ କରାଯାଇଥିଲା। ଅନାଥ ହୋଇଥିବା ସମସ୍ତ ଶିଶୁ ଏବଂ ୧୦ ହଜାର ୧୬ ବାପା ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ଶିଶୁଙ୍କୁ ଶିଶୁ କଲ୍ୟାଣ କମିଟି ନିକଟରେ ଉପସ୍ଥାପନ କରାଯାଇଥିବା ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ।

ଅପରପକ୍ଷେ ବାଲ ସ୍ବରାଜ ପୋର୍ଟାଲ‌ରେ ୮ ହଜାର ୪୯୮ ଶିଶୁ ଅନାଥ ହୋଇଥିବାର ଦର୍ଶାଯାଇଥିଲା। ଯେଉଁଥି ପାଇଁ ସୁପ୍ରିମକୋର୍ଟ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଛଅଟି ପର୍ଯ୍ୟାୟର ସଂପୂର୍ଣ୍ଣ ତଥ୍ୟ ବାଲ ସ୍ବରାଜ ପୋର୍ଟାଲରେ ଅପଲୋଡ୍‌ କରିବା ପାଇଁ ନି‌ର୍ଦ୍ଦେଶ ଦେଇଛନ୍ତି। ଏହା ସହ ଆଶୀର୍ବାଦ ଯୋଜନାରୁ ବଂଚିତ ଥିବା ଯୋଗ୍ୟ ଶିଶୁମାନଙ୍କୁ ସାହାଯ୍ୟ ପ୍ରଦାନ କରିବ‌ା ପାଇଁ ସୁପ୍ରିମକୋର୍ଟ ଆଦେଶରେ କହିଛନ୍ତି। ୩୬ ଜଣ ଅନାଥ ଶିଶୁ ତଥା ବାପା ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବା ୨୭୦ ଜଣ ଶିଶୁ ଘରୋଇ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ଏମାନଙ୍କ ଶିକ୍ଷା‌ରେ ଯେଭଳି କୌଣସି ପ୍ରତିବନ୍ଧକ ନ ଆସେ ସେ ନେଇ ରାଜ୍ୟ ସରକାର ସହାୟତା କରୁଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର