ନିୟନ୍ତ୍ରଣ ବାହାରେ କରୋନା: ଦିନକରେ ୩,୪୬,୭୮୬ ମାମଲା, ୨,୬୨୪ ମୃତ୍ୟୁ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ସଂକ୍ରମଣ ଏବେ ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ସମେତ ୮ଟି ରାଜ୍ୟରେ ସଂକ୍ରମଣ ଏବେ ନିୟନ୍ତ୍ରଣ ବାହାରେ । ବିଗତ ୨୪ ଘଣ୍ଟା (ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା) ମଧ୍ୟରେ ରେକର୍ଡ ୩,୪୬,୭୮୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୬୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୬୬,୧୦,୪୮୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୨୫ ଲକ୍ଷ ଟପିଯାଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ଏବେ ୨୫,୫୨,୯୪୦ ରହିଛି।

ଏହା ମୋଟ୍‌ ସଂକ୍ରମଣ ମାମଲାର ୧୫.୩୭ ପ୍ରତିଶତ। କରୋନା ମୃତ୍ୟୁସଂଖ୍ୟା‌ ୧,୮୯,୫୪୪କୁ ବୃଦ୍ଧି ପାଇଛି। ସଂକ୍ରମଣ ମାମଲା ଲଗାତାର ବଢ଼ି ଚାଲିଥିବାରୁ ଜାତୀୟ ଆରୋଗ୍ୟ ହାର ୮୩.୪୯ ପ୍ରତିଶତକୁ ଖସି ଆସିଛି। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୭୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୪୮, ଛତିଶଗଡ଼ରେ ୨୧୯, ଉତ୍ତରପ୍ରଦେଶରେ ୧୯୬, ଗୁଜରାଟରେ ୧୪୨, କର୍ଣ୍ଣାଟକରେ ୧୯୦, ତାମିଲନାଡ଼ୁରେ ୭୮ ଏବଂ ପଂଜାବରେ ୭୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ମହାରାଷ୍ଟ୍ରରେ ମୋଟ୍‌ କରୋନା ମୃତ୍ୟୁ ୬୩,୨୫୨ ଥିବାବେଳେ କର୍ଣ୍ଣାଟକରେ ୧୪,୦୭୫, ତାମିଲନାଡ଼ୁରେ ୧୩,୩୯୫, ଦିଲ୍ଲୀରେ ୧୩,୫୪୧ , ପଶ୍ଚିମବଙ୍ଗରେ ୧୦,୮୨୫ , ଉତ୍ତରପ୍ରଦେଶରେ ୧୦,୭୩୭, ପଂଜାବରେ ୮,୨୬୪ ଏବଂ ଆନ୍ଧ୍ରପ୍ରଦେଶରେ ୭,୫୭୯ କରୋନା ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ବିଭିନ୍ନ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ୭୦ ପ୍ରତିଶତରୁ ଅଧିକ କରୋନା ମୃତ୍ୟୁ ହୋଇଛି।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ୧୦ ରାଜ୍ୟରେ ୭୪.୧୫ ପ୍ରତିଶତ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୨ଟି ରାଜ୍ୟ ତଥା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ, ବିହାର ଏବଂ ପଶ୍ଚିମବଙ୍ଗରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଦେଶରେ ମୋଟ୍‌ ସକ୍ରିୟ ମାମଲାର କେବଳ ୬୬.୬୬ ପ୍ରତିଶତ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜରାଟ ଏବଂ କେରଳରୁ ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର