କରୋନା ରୋଗକୁ ବଳିଗଲା ପାରିବାରିକ ବାସନ୍ଦ, ସୁସ୍ଥ ହେବାପରେ ବି ଘରକୁ ନେଉନାହାନ୍ତି ସମ୍ପର୍କୀୟ

ଡିସଚାର୍ଜ ପରେ ବି ଡାକ୍ତରଖାନାରେ ରହିଲେ

ହାଇଦ୍ରାବାଦ: କୋଭିଡ-୧୯ ରୋଗ ଦେଶପାଇଁ କେବଳ ଏକ ସ୍ବାସ୍ଥ୍ୟଗତ ସମସ୍ୟା ନୁହେଁ ବଡ଼ ସାମାଜିକ ସମସ୍ୟା ଭାବେ ଉଭା ହେଲାଣି। ଡାକ୍ତରଖାନାରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଥିଲେ ମଧ୍ୟ ସେମାନଙ୍କ ପରିବାରର ଲୋକମାନେ ସେମାନଙ୍କୁ ଡାକ୍ତରଖାନାରୁ ଘରକୁ ନେବାକୁ ରାଜି ହେଉନାହାନ୍ତି। ଏପରିକି ବିନା କାରଣରେ ସେମାନଙ୍କର କୋଭିଡ-୧୯ ପରୀକ୍ଷା ପାଇଁ ଦାବି କରୁଛନ୍ତି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରୁ ଏଭଳି ଘଟଣା ପଦାକୁ ଆସିଛି।

ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଅନେକ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାରର ସଦସ୍ୟମାନେ ଘରକୁ ନେବା ପାଇଁ ଆସୁନାହାନ୍ତି। ଗାନ୍ଧି ହସ୍ପିଟାଲର ନୋଡାଲ ଅଫିସର ଡା. ପ୍ରଭାକର ରାଓଙ୍କ କହିବାନୁଯାୟୀ, ଗତ ୧୦ରୁ ୧୫ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୫୦ରୁ ଅଧିକ ବ୍ୟକ୍ତି ଏବେ ଆରୋଗ୍ୟ ଲାଭ କରିସାରିଛନ୍ତି। ସେମାନଙ୍କଠାରେ କରୋନାର କୌଣସି ଲକ୍ଷଣ ବି ନାହିଁ। ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ମଧ୍ୟ କରାଯାଇ ସାରିଛି। ଘରେ ଏକାନ୍ତବାସରେ ରହିବା ଏବେ ସେମାନଙ୍କ ପାଇଁ ଉପଯୁକ୍ତ। କିନ୍ତୁ ଏହି ବ୍ୟକ୍ତିମାନଙ୍କର ପରିବାର ସଦସ୍ୟ ସେମାନଙ୍କୁ ଘରକୁ ନେବାକୁ ମନା କରି ଦେଉଛନ୍ତି। ଅଧିକାଂଶ ବ୍ୟକ୍ତି ଡାକ୍ତରଖାନା ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଘରକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ ମଧ୍ୟ ସେମାନଙ୍କ ଘର ଲୋକ ଆସୁନାହାନ୍ତି। ଯେତେବେଳେ ସେମାନଙ୍କୁ ନେବା ପାଇଁ ପରିବାର ସଦସ୍ୟମାନେ ଆସୁନାହାନ୍ତି ଆମେ ସେମାନଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରୁଛୁ। ରୋଗୀମାନଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି ବୋଲି ଡା‌. ରାଓ କହିଛନ୍ତି। ବୟସ୍କ ବ୍ୟକ୍ତିମାନଙ୍କୁ ଗାନ୍ଧି ହସ୍ପିଟାଲରେ ରଖାଯାଇଥିବାବେଳେ ୫୦ ବର୍ଷ ପାଖାପାଖି ବୟସର ବ୍ୟକ୍ତିମାନଙ୍କୁ ନେଚର କିୟୋର ହସ୍ପିଟାଲରେ ରଖାଯାଇଛି। ଡିସଚାର୍ଜ ହୋଇଥିବା ବ୍ୟକ୍ତିମାନେ କରୋନା ନେଗେଟିଭ ବୋଲି ପରୀକ୍ଷା କରିବା ପାଇଁ ପରିବାର ସଦସ୍ୟମାନେ ସେମାନଙ୍କୁ ବାଧ୍ୟ କରୁଛନ୍ତି।

ଜଣେ ୯୩ ବର୍ଷୀୟ କୋଭିଡ-୧୯ ପଜିଟିଭି ମହିଳାଙ୍କ ଉଦାହରଣ ଦେଇ ଡା. ରାଓ କହିଛନ୍ତି, ତାଙ୍କୁ ୧୫ ଦିନ ପୂର୍ବେ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ହୋଇ ସାରିଛନ୍ତି। କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ନେବାକୁ ଆସୁନାହାନ୍ତି। ଅନ୍ୟ ଏକ ଘଟଣାରେ ଜଣେ ୮୫ ବର୍ଷ ବୟସ୍କ ବ୍ୟକ୍ତି ହସ୍ପିଟାଲରେ ୧୬ ଦିନ ପୂର୍ବେ ଭର୍ତ୍ତି ହୋଇଥିଲେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଘରେ ଏକାନ୍ତବାସରେ ରହିବା ପାଇଁ ଉପଯୁକ୍ତ। କିନ୍ତୁ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଘରକୁ ନେବାକୁ ମନା କରୁଛନ୍ତି ଏବଂ ପୁଣିଥରେ ତାଙ୍କର କରୋନା ପରୀକ୍ଷା ପାଇଁ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର