ସପ୍ତାହେ ହେଲା ୧୮୮ ଜିଲ୍ଲାରେ ବାହାରି ନାହାନ୍ତି କରୋନା ରୋଗୀ

ନୂଆଦିଲ୍ଲୀ : ଦେଶର ୧୮୮ଟି ଜିଲ୍ଲାରେ ଗତ ୭ ଦିନ ମଧ୍ୟରେ ଜଣେ ହେଲେ ନୂଆ ‌କରୋନା ରୋଗୀ ବାହାରି ନାହାନ୍ତି। ସେହିଭଳି ଗତ ୨୧ ଦିନ ମଧ୍ୟରେ ଦେଶର ୨୧ଟି ଜିଲ୍ଲାରେ ଜଣେ ହେଲେ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି। ଏଥିସହିତ ଦେଶରେ କରୋନା ବିରୋଧରେ ସ୍ବାସ୍ଥ୍ୟ କ୍ଷେତ୍ରର କର୍ମଚାରୀମାନେ କରିଥିବା ଲଢ଼େଇକୁ ସ୍ବାସ୍ଥ୍ୟମନ୍ତ୍ରୀ ଢେର୍‌ ପ୍ରଶଂସା କରିଛନ୍ତି। ଭାରତରେ ‌ଏବେ ଲୋକଙ୍କୁ ୨ଟି ଟିକା ଦିଆଯାଉଛି। ତେବେ ଦେଶରେ ଏବେ ଆହୁରି ୧୮ରୁ ୧୯ଟି କରୋନା ଟିକା ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି। ଏଗୁଡ଼ିକ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ୫୦ରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

କେବଳ ସେତିକି ନୁହେଁ ଭାରତ ଏବେ ୨୦ରୁ ୨୫ଟି ଦେଶକୁ କରୋନା ଟିକା ଯୋଗାଉଛି। କରୋନା ଟିକା ସଂପର୍କରେ କରାଯାଉଥିବା ଗୁଜବକୁ ସେ ନିନ୍ଦା କରିଛନ୍ତି। କରୋନା ଟିକା ପ୍ରଭାବୀ ଏବଂ ନିରାପଦ ବୋଲି କହିଛନ୍ତି। ଏହାସତ୍ତ୍ବେ ଜନସାଧାରଣ କରୋନାମୁକ୍ତ ରହିବା ପାଇଁ ଆବଶ୍ୟକ ନିୟମ ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି। ସୋମବାର ସକାଳ ୮ଟା ସୁଦ୍ଧା ଦେଶରେ ୮୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇ ସରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪୮୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୨୧ ହଜାର ୪୮୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର