ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଟପିଲା: ୟୁରୋପରେ ୪୫ ହଜାର, ଆମେରିକାରେ ୮୪୫୪ ମୃତ

ବିଶ୍ବବ୍ୟାପୀ ୧୨ ଲକ୍ଷ ୧୬ ହଜାର ଆକ୍ରାନ୍ତ, ୬୬ ହଜାର ମୃତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରକୋପରେ ପୂରା ବିଶ୍ବରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ୟୁରୋପ ଏବଂ ଆମେରିକାରେ ଅତି ଭୟାନକ ସ୍ଥିତି ଜାରି ରହିଛି। ମହାଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ଭାଇରସ୍‌ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଆମେରିକାରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପି ଯାଇଥିବା ବେଳେ ଏଥିରେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଆମେରିକାରେ ଦୁଇ ଦିନ ମଧ୍ୟରେ ପ୍ରାୟ ୩ ହଜାର ମୃତ୍ୟୁ ଘଟଣା ହାହାକାର ସୃଷ୍ଟି କରିଛି। ଇଟାଲିରେ ୨୪ ଘଣ୍ଟାରେ ୭୬୬ ଲୋକଙ୍କ ଜୀବନ ଯାଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୧୫ ହଜାର ଅତିକ୍ରମ କରିଗଲାଣି।

କରୋନା ଭାଇରସ୍‌ ସମସ୍ତ ୟୁରୋପୀୟ ରାଷ୍ଟ୍ରରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି ଏବଂ ଏ ପର୍ଯ୍ୟନ୍ତ ୟୁରୋପ୍‌ରେ ୪୫ ହଜାରରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ସ୍ପେନ୍‌ରେ ୧ ଲକ୍ଷ ୩୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜର୍ମାନୀରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ପ୍ରାୟ ୧୫ ଶହ ଲୋକଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ ଫ୍ରାନ୍ସରେ ଆକ୍ରାନ୍ତ ସଂଖ୍ୟା ୯୦ ହଜାରରେ ପହଞ୍ଚିଛି ଏବଂ ୭୫୦୦ ଲୋକଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ୍‌ରେ ୪୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୫୦୦ ଛୁଇଁଛି। ସ୍ବିଜରଲ୍ୟାଣ୍ଡ୍‌ରେ ୬୮୦, ବେଲଜିୟମରେ ୧୪୪୭ ଏବଂ ନେଦରଲ୍ୟାଣ୍ଡ୍‌ରେ ୧୬୫୧ ଲୋକଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର