୬ ମାସରେ ୩ ଥର କରୋନା ପଜିଟିଭ୍‌

ଥ୍ରିସୁର : କେରଳର ଥ୍ରିସୁରରେ ଜଣେ ୩୮ ବର୍ଷୀୟ ଯୁବକ ଗତ ୬ ମାସରେ ୩ ଥର କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ନାମ ପଲଭେଲିଲ୍‌ ସାଭିଓ ଜୋସେଫ୍‌। ସମ୍ପୃକ୍ତ ଯୁବକ ଜଣଙ୍କ ୩ ଥର ଯାକ ଆର୍‌ଟି ପିସିଆର ଟେଷ୍ଟ୍‌ କରିଥିବାବେଳେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମାମଲାର ଅତ୍ୟନ୍ତ ଗଭୀରକୁ ଯାଇ ଆକଳନ କରାଯାଉଛି। ସାଭିଓ ପ୍ରଥମେ ମାର୍ଚ୍ଚରେ ଓମାନ୍‌ରେ କରୋନା ସଂକ୍ରମିତ ହୋଇଥିଲେ। ଛାତିରେ ଯନ୍ତ୍ରଣା ଏବଂ ନିଶ୍ବ‌ାସ ନେବାରେ କଷ୍ଟ ହେବାପରେ ସେ ମୁସ୍କାଟ୍‌ର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସପ୍ତାହକ ପରେ ସେ ସୁସ୍ଥ ହୋଇ ଫେରିଥିଲେ। ତେବେ ଜୁନ୍‌ରେ ଓମାନ୍‌ରେ ସଂକ୍ରମଣ ବଢ଼ିବାରୁ ସେ ରାଜ୍ୟକୁ ଫେରିଥିଲେ। ଜୁଲାଇରେ ସେ ପୁଣିଥରେ ସଂକ୍ରମିତ ହୋଇଥିଲେ। ଜୁଲାଇ ୨୨ରେ ଥ୍ରିସୁର ମେଡିକାଲ କଲେଜ୍‌ରେ ଭର୍ତ୍ତି ହୋଇଥିଲେ ଏବଂ ଅଗଷ୍ଟ ୧୧ରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଏହାର ୨ ଦିନ ପରେ ସେ ପୁଣିଥରେ କରୋନା ସଂକ୍ରମିତ ହୋଇଥିଲେ। ସେପ୍ଟେମ୍ବର ୫ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ପୁଣିଥରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ୧୧ ତାରିଖରେ ସେ ସୁସ୍ଥ ହୋଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ଫଲ୍ସ ପଜିଟିଭ୍‌ କହୁଛନ୍ତି। ସ୍ବାସ୍ଥ୍ୟ ସଚିବ ରାଜନ ଏନ୍‌ ଖୋବ୍ରାଗଡ଼େ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ଉକ୍ତ ମାମଲାର ଅତି ଗଭୀରକୁ ଯାଇ ଆକଳନ କରିବେ।

ସମ୍ବନ୍ଧିତ ଖବର