୫ ମାସ ମଧ୍ୟରେ ୩୧ ଥର କରୋନା ପଜିଟିଭ ହେଲେ ମହିଳା

ଜୟପୁର: ରାଜସ୍ଥାନର ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗତ ପାଞ୍ଚ ମାସ ମଧ୍ୟରେ ଜଣେ ମହିଳା ୩୧ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ମହିଳାଙ୍କ ନାମ ସାରଦା ହୋଇଥିବାବେଳେ ସେପ୍ଟେମ୍ବର ୪, ୨୦୨୦ରେ ପ୍ରଥମ ଥର ପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା |

ଆଉ ସେତେବେଳେ ତାଙ୍କର କରୋନା ପଜିଟିଭ ଆସିଥିଲା | ସେପ୍ଟେମ୍ବର ମାସ ପରେ ଆଜି ପର୍ଯ୍ୟନ୍ତ ସାରଦାଙ୍କର ୩୧ ଥର କରୋନା ପରୀକ୍ଷା କରାଯାଇଛି | ଆଉ ଆଶ୍ଚର୍ଯ୍ୟର କଥା ୩୧ ଥର ରିପୋର୍ଟ ପଜିଟିଭ ଆସିଛି | ବାରମ୍ବାର ପଜିଟିଭ ରିପୋର୍ଟ ଆସିଥିବାରୁ ତାଙ୍କୁ ବାରମ୍ବାର କ୍ଵାରିଣ୍ଟିନରେ ରଖିବାକୁ ପଡୁଛି |

ତେବେ ସାରଦା ଭରତପୁରର ଏକ ଆଶ୍ରମରେ ରହୁଥିବାବେଳେ ସେଠାରେ ଶତାଧିକ ଲୋକ ରହୁଛନ୍ତି | ତେଣୁ ସାରଦାଙ୍କ ଯୋଗୁଁ ଯେଭଳି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି | ସାରଦାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା କରାଯାଇଥିବାବେଳେ ବାରମ୍ବାର ପଜିଟିଭ ରିପୋର୍ଟ ଆସିବା ଏବେ ଚିନ୍ତାର କାରଣ ପାଲଟିଛି | ୫ ମାସରେ ୩୧ ଥର ରିପୋର୍ଟ ପଜିଟିଭ ଆସିଥିବାରୁ ଏବେ ସାରଦାଙ୍କୁ ଉନ୍ନତମାନର ଚିକିତ୍ସା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି | ଏଥିପାଇଁ ତାଙ୍କୁ ଭରତପୁରରୁ ଜୟପୁର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର