୬୬ଲକ୍ଷରେ ପହଞ୍ଚିଲା ସଂକ୍ରମଣ, ଲଗାତାର ୩ ସପ୍ତାହ ଧରି ସଂକ୍ରମଣ କମ୍‌ ରହୁଛି

ନୂଆଦିଲ୍ଲୀ: ବିଶ୍ବରେ ଦ୍ବିତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ୪୪୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୦୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୫ରେ ପହଞ୍ଚିଛି ଏବଂ ୧ ଲକ୍ଷ ୨ହଜାର ୬୮୫ ଜଣଙ୍କ ମୃତ୍ୟୁ ହୋଇଛି। ୯ ଲକ୍ଷ ୩୪ ହଜାର ୪୨୭ ସକ୍ରିୟ ମାମଲା ରହିଛି। ଗତ ଗୋଟିଏ ସପ୍ତାହ‌ ମଧ୍ୟରେ ଦେଶରେ ସବୁଠୁ ଅଧିକ ସଂଖ୍ୟାରେ ରୋଗୀ କ‌ରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୭୬ ହଜାର ୭୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ମୋଟ୍‌ ୫୫ ଲକ୍ଷ ୮୬ ହଜାର ୭୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ମଧ୍ୟ ୮୪.୩୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଲଗାତାର ୩ ସପ୍ତାହ ଧରି ସଂକ୍ରମଣ କମ୍‌ ରହୁଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୪ ମଧ୍ୟରେ ଦେଶରେ ୫ ଲକ୍ଷ ୫୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଗତ ୫ ସପ୍ତାହ ମଧ୍ୟରେ ସବୁଠୁ କମ୍‌। ସେହିପରି ଗତ ୭ ଦିନରେ ୭,୧୪୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବ ସପ୍ତାହ ତୁଳନାରେ କମ୍‌ ରହିଛି। ତେବେ ସେପ୍ଟେମ୍ବର ୭-୧୩ ମଧ୍ୟରେ ଦେଶରେ ସର୍ବାଧିକ ୬ ଲକ୍ଷ ୪୫ ହଜାର ୧୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। କିନ୍ତୁ ଚଳିତ ସପ୍ତାହ ତଥା ଗତ ୭ ଦିନର ସଂକ୍ରମଣ ମାମଲା ୫ ଲକ୍ଷ ୫୦ ହଜାର ୫୪୫ ରହିଛି। ପୂର୍ବ ସପ୍ତାହର ସଂକ୍ରମଣ ମାମଲା ତୁଳନାରେ ଏହା ୬.୮ ପ୍ରତିଶତ କମ୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Comments are closed.