ଭାରତରେ କରୋନାର ନୂଆ ରେକର୍ଡ: ଦିନକରେ ୧୫,୪୧୩ ମାମଲା

ଦିଲ୍ଲୀରେ ସ୍ଥିତି ସାଂଘାତିକ ହେଉଛି, ଅମିତ ଶାହଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ଆଜି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ମଧ୍ୟରେ ଦେଶରେ ୧୫,୪୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶର ମୋଟ୍‌ ସଂକ୍ରମଣ ମାମଲା ୪,୧୦୪୧୬ରେ ପହଞ୍ଚିଛି। ଆଜି ପର୍ଯ୍ୟନ୍ତ କରୋନାରେ ୧୩୨୫୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୦୬ ଜଣ ପ୍ରାଣ ହରାଇଛନ୍ତି।

ଆକ୍ରାନ୍ତଙ୍କ ସଂଖ୍ୟା‌ ୪ ଲକ୍ଷ ଟପିଲା, ଆରୋଗ୍ୟ ହାର ୫୫.୪୮%କୁ ବୃଦ୍ଧି

ବିଗତ ୪ ଦିନ ମଧ୍ୟରେ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିଛି। ଗୁରୁବାର ଦିନ ୧୨ ହଜାର ୮୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୧୩,୫୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶନିବାର ଏହି ସଂଖ୍ୟା ୧୪,୫୧୬ରେ ପହଞ୍ଚିଥିଲା। ଆଜି ସୁଦ୍ଧା ଦେଶରେ ୨.୨୭ ଲକ୍ଷ ଲୋକ ଆରୋଗ୍ୟ ହୋଇଥିବା ଜଣାପଡ଼ିଛି। ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇ ୫୫.୪୮ରେ ପହଞ୍ଚିଛି। ଭାରତରେ କରୋନା ୪ ଲକ୍ଷରେ ପହଞ୍ଚିବା ପାଇଁ ୧୪୩ ଦିନ ଲାଗିଛି। ମେ ୧୯ ତାରିଖ ସୁଦ୍ଧା ଦେଶରେ ୧ ଲକ୍ଷ ମାମଲା ଥିବା ବେଳେ ଜୁନ୍‌ ୧୩ ସୁଦ୍ଧା ଏହା ୩ ଲକ୍ଷରେ ପହଞ୍ଚିଯାଇଥିଲା। ଭାରତରେ ଏବେ ଦୈନିକ ୧ ଲକ୍ଷ ୯୦ ହଜାର କରୋନା ଟେଷ୍ଟ ହେଉଛି ଏବଂ ଆଜି ସୁଦ୍ଧା ୬୮,୦୭,୨୨୬ ଜଣଙ୍କ ପରୀକ୍ଷା ହୋଇସାରିଛି । ଆଜି ସକାଳ ୯ଟା ସୁଦ୍ଧା ପଜିଟିଭ୍‌ ହାର ୮.୯ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ଦିଲ୍ଲୀରେ ସ୍ଥିତି ସାଂଘାତିକ ହେଉଛି, ଅମିତ ଶାହଙ୍କ ଜରୁରୀ ବୈଠକ
ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ କରୋନା ଭାଇରସ୍‌ ସଂକ୍ରମଣ ସାଂଘାତିକ ରୂପ ନେଇଛି। ଗତକାଲି ଗୋଟିଏ ଦିନରେ ୩୬୩୦ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୫୬ ହଜାର ଅତିକ୍ରମ କରିଛି। ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଉପରାଜ୍ୟପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଭାଗ ନେଇଥିଲେ। ଦିଲ୍ଲୀରେ ହସ୍ପିଟାଲ ବେଡ୍‌ ବୃଦ୍ଧିଠାରୁ ଆରମ୍ଭ କରି ଟେଷ୍ଟିଂ ରଣନୀତି ଏବଂ କ୍ବାରାଣ୍ଟିନ୍‌ ସର୍ତ୍ତ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର