ଦେଶରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା; ୧୧ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ

ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୫ ଗୁଣ ଅଧିକ

ନୂଆଦିଲ୍ଲୀ: ଆଜି (ସୋମବାର) ଦେଶରେ କରୋନା ସଂକ୍ରମଣରୁ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୫୦,୧୬,୫୨୦ ଅତିକ୍ରମ କରିଛି। ସଂପ୍ରତି ପ୍ରତ୍ୟେକ ଦିନ ଅଧିକରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଥିବା ବେଳେ ଦୈନିକ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪,୮୯୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ନିକଟରେ ଦୈନିକ ୯୦ ହଜାରରୁ ଅଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି। ସକ୍ରିୟ ରୋଗୀଙ୍କ ତୁଳନାରେ ୫ ଗୁଣ ଅଧିକ ଆରୋଗ୍ୟ ଲାଭ କରିଛନ୍ତି। ଜାତୀୟ ଆରୋଗ୍ୟ ହାର ୮୨.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୁସ୍ଥତା ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି।

ନୂତନ ଆରୋଗ୍ୟ ଲାଭ କରିଥିବା ଶତକଡା ୭୩ ଭାଗ ରୋଗୀ ୧୦ଟି ରାଜ୍ୟର ବୋଲି ଜଣାପଡିଛି। ସେଗୁଡିକ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, କେରଳ, ଓଡିଶା, ପଶ୍ଚିମବଙ୍ଗ ଓ ପଞ୍ଜାବ। କେବଳ ମହାରାଷ୍ଟ୍ରରୁ ୧୩,୦୦୦ ନୂତନ ରୋଗୀ ଆରୋଗ୍ୟଲାଭ କରିଛନ୍ତି। ଜୁନ ମାସରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଥିବା ବେଳେ ଏହା କ୍ରମଶଃ ଦ୍ରୁତଗତିରେ ବୃଦ୍ଧି ପାଇ ଗତ ୧୧ ଦିନ ମଧ୍ୟରେ ୧୦ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି।

  •  ଦେଶରେ କରୋନା ସଂକ୍ରମଣରୁ ସୁସ୍ଥଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା

  •  ଶେଷ ୧୦ ଲକ୍ଷ ସୁସ୍ଥ ହୋଇଛନ୍ତି ମାତ୍ର ୧୧ ଦିନରେ

  •  ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୫ ଗୁଣ ଅଧିକ

ସେହିପରି, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨,୧୭୦ ନୂତନ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଶତକଡା ୭୯ ପ୍ରତିଶତ ୧୦ଟି ରାଜ୍ୟର ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୧୮,୦୦୦ ଥିବା ବେଳେ କର୍ଣ୍ଣାଟକରୁ ୯,୦୦୦ରୁ ଅଧିକ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସର୍ବଶେଷ ମୃତ୍ୟୁ ପରିସଂଖ୍ୟାନ ଅନୁସାରେ ମୋଟ ନୂତନ ମୃତକଙ୍କ ଶତକଡା ୮୪ ଭାଗ ୧୦ଟି ରାଜ୍ୟରୁ ଅଛନ୍ତି। ଗତକାଲି ଶତକଡା ୩୬ଭାଗ ଅର୍ଥାତ ୩୮୦ ଜଣଙ୍କର ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବା ବେଳେ ତାମିଲନାଡୁରେ ୮୦ ଓ କର୍ଣ୍ଣାଟକରେ ୭୯ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର