ବେଜିଂ : ଚୀନରେ ପୁଣି ଥରେ କରୋନା ଭାଇରସ ଫେରିବାର ଆଶଙ୍କା ଦୃଢ ହେବାରେ ଲାଗିଛିି । ଉହାନ ପରେ ଆଉ ଏକ ସହର ଜିଲିନରେ କରୋନା ଭାଇରସର କ୍ଲଷ୍ଟର ସଂକ୍ରମଣ ଦେଖାଦେଇଛି । ଏହାକୁ ନେଇ ସଂପୃକ୍ତ ସହରରେ ଆତଙ୍କ ସୃଷ୍ଟି ହେବା ସହ ଚୀନ ସରକାର ଉକ୍ତ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ସହିତ ଏହି ସହରକୁ ଦେଶର ଅନ୍ୟ ସହର ସହିତ ସଂଯୋଗ ଛିନ୍ନ କରିଦିଆଯାଇଛି ।
ଚୀନର ଉତ୍ତର-ପୂର୍ବାଞ୍ଚଳରେ ଥିବା ଏହି ସହରର ମୋଟ ଜନସଂଖ୍ୟା ୪୦ ଲକ୍ଷ ଥିବାବେଳେ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି । କେବଳ ଯେଉଁମାନଙ୍କ ନମୁନା ନେଗେଟିଭ ବାହାରିବ ସେମାନଙ୍କୁ ବାହାରୁ ଯିବାକୁ ଦିଆଯିବ । ସହରରେ ବସ,ଟ୍ରେନ,ଥିଏଟର, ସପିଂ ମଲ, ପାର୍କ ଆଦିକୁ ବନ୍ଦ କରିଦିଆଯାଇଛି । ଏହି ସହରରେ ବୁଧବାରଦିନ ୬ଟି ନୂଆ ମାମଲା ଦେଖାଦେଇଛି, ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୨୧ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଚୀନର ଶିଳ୍ପ ନଗରୀ ଉହାନରେ ପୁଣି ଥରେ କରୋନା ଭାଇରସ ଫେରିବା ଆଶଙ୍କା ଦେଖାଦେଇଛି । ଉହାନରେ କେତେକ କ୍ଲଷ୍ଟର ସଂକ୍ରମଣ ଦେଖାଦେବା ପରେ ସହରର ସବୁ ନାଗରିକଙ୍କ ନମୁନା ପରୀକ୍ଷଣ ପାଇଁ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି । ଉହାନର ଜନସଂଖ୍ୟା ପ୍ରାୟ ୧୧ ନିୟୁତ ହୋଇଥିବା ବେଳେ ସମସ୍ତଙ୍କର ନ୍ୟୁକ୍ଲିକ ଏସିଡ ପରୀକ୍ଷା କରାଯିବ । ଏହି ଉହାନ ନଗରୀରେ ହିଁ ପ୍ରଥମ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା ।