ମାଡ଼ିଆସୁଛି କରୋନା, ୧୧ ରାଜ୍ୟରେ ସ୍ଥିତି ଜଟିଳ

ନୂଆଦିଲ୍ଲୀ : ମହାରାଷ୍ଟ୍ର, ପଂଜାବ ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ୁଛି। ଗତବର୍ଷ ଏହି ରାଜ୍ୟମାନେ ଦେଖିଥିବା ଶୀର୍ଷ ସଂକ୍ରମଣକୁ ମଧ୍ୟ ଟପି ସାରିଛନ୍ତି। ବିଶେଷକରି ମହାରାଷ୍ଟ୍ରରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। କେନ୍ଦ୍ର କ୍ୟାବିନେଟ୍‌ ସଚିବ ରା‌ଜୀବ ଗୌବା ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ପୁଲିସ ଡିଜି ଏବଂ ସ୍ବାସ୍ଥ୍ୟ ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ‌‌ବୈଠକ ପରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଚିନ୍ତା ବଢ଼ାଇଛି ବୋଲି ସେ କହିଛନ୍ତି।

ଏହି ରାଜ୍ୟମାନଙ୍କରେ ଗତ ୧୪ ଦିନ ମଧ୍ୟରେ ୯୦ ପ୍ରତିଶତ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୯୦.୫ ପ୍ରତିଶତ କରୋନା ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା‌ ମଧ୍ୟରେ ସର୍ବାଧିକ ୪୩,୧୮୩ ମାମଲା ଚିହ୍ନଟ ହୋଇଛି ଏବଂ ୨୪୮ ଜଣଙ୍କ ମୃତ୍ୟୁ ‌ହୋଇଛି। ଆଗାମୀ ଦୁଇଦିନ ଭିତରେ ରାଜ୍ୟବ୍ୟାପୀ ନୂଆ କଟକଣା ସଂକ୍ରନ୍ତ ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି। କର୍ଣ୍ଣାଟକରେ ୪,୨୨୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରେ ୪,୬୧୭ , କେରଳରେ ୨,୬୫୩ ଏବଂ ପଂଜାବରେ ୩,୧୬୧ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ମଧ୍ୟ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ୁଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୩,୫୮୩ ନୂଆ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀରେ ଏବେ ଚତୁର୍ଥ ଲହର ସଂକ୍ରମଣ ଚାଲିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। କିନ୍ତୁ ସରକାର ଲକ୍‌ଡାଉନ୍‌ ଜାରି କରିବା ନେଇ କୌଣସି ଯୋଜନା କରିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବପରି ସ୍ଥିତି ଏତେ ଖରାପ୍‌ ନାହିଁ ବୋଲି କେଜ୍ରିୱାଲ୍‌ କହିଛନ୍ତି। ମହାରାଷ୍ଟ୍ରର ପୁନେରେ ସଂକ୍ରମଣ ବଢ଼ିବାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପୁନେରେ ସମସ୍ତ ମଲ୍‌, ସିନେମା ହଲ୍‌ ଏବଂ ହୋଟେଲ୍‌ ବନ୍ଦ ରହିବ। ଆସନ୍ତାକାଲିଠାରୁ ସହର‌ରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଅନ୍ୟପକ୍ଷେ ମଧ୍ୟପ୍ରଦେଶର ୪ ଜିଲ୍ଲାରେ ଲକ୍‌ଡାଉନ୍‌ ହୋଇଛି। ଉତ୍ତରପ୍ରଦେଶରେ ଏପ୍ରିଲ ୧୧ ପର୍ଯ୍ୟନ୍ତ ଅ‌ଷ୍ଟ୍ରମ‌ ଶ୍ରେଣୀ ଯାଏଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍‌ ବନ୍ଦ ରହିଛି। ସେହିପରି ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ସଂକ୍ରମଣ ବଢ଼ିବାରୁ ଏଠାରେ ମେ’ ୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଘୋଷଣା ହୋଇଛି। ତାମିଲନାଡ଼ୁ, ଗୁଜରାଟ ଓ ମଧ୍ୟପ୍ରଦେଶରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ଅଧିକ କଠୋର କଟକଣା ଲାଗୁ ପାଇଁ ରାଜ୍ୟ ସରକାରମାନେ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର