ନୂଆଦିଲ୍ଲୀ : କରୋନା ମହାମାରୀ ଅର୍ଥନୀତିକୁ ଶକ୍ତ ଝଟ୍କା ଦେଇଛି। ଏହାର ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧିରେ ରେକର୍ଡ ହ୍ରାସ ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି -୭.୩ ପ୍ରତିଶତ ସଙ୍କୁଚିତ ହୋଇଛି। ଗତ ଚାରି ଦଶନ୍ଧିରେ ଏହା ହେଉଛି ଅର୍ଥନୀତିର ସବୁଠୁ ଖରାପ ପ୍ରଦର୍ଶନ। ମହାମାରୀ ମୁକାବିଲା ଲାଗି ଗତବର୍ଷ ସରକାର ଘୋଷଣା କରିଥିବା ଲକ୍ଡାଉନ୍ ଅର୍ଥନୀତି ଲାଗି ଘାତକ ସାବ୍ୟସ୍ତ ହୋଇଛି। ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ ୨୦୨୧ର ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ସବୁ କ୍ଷେତ୍ର ଖୋଲା ରହିଥିବା ସତ୍ତ୍ବେ ଏହି ସମୟରେ ଅଭିବୃଦ୍ଧି ମାତ୍ର ୧.୬% ରହିଛି। ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟ ଆଦୌ ଭଲ ନଥିବାର ଆଭାସ ଆଜି ମିଳିଛି।
ସୋମବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍ଓ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ୨୦୧୯-୨୦ରେ ଜିଡିପି ପରିମାଣ ୧୪୫.୬୯ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୦-୨୧ରେ ତାହା ୧୩୫.୧୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ସାରା ଦେଶର ଅଭିବୃଦ୍ଧି ୪ ପ୍ରତିଶତ ଥିଲା। ଏବର୍ଷ ତାହା ବିଯୁକ୍ତ ୭.୩ ପ୍ରତିଶତ ହୋଇଛି।
୨୦୨୦-୨୧ରେ କୃଷି ହେଉଛି ଏକମାତ୍ର କ୍ଷେତ୍ର ଯାହା ୩.୬%ର ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିଛି। ବିଦ୍ୟୁତ ଉତ୍ପାଦନରେ ମଧ୍ୟ ୧.୯ ପ୍ରତିଶତ ବୃଦ୍ଧି ହୋଇଛି। ହୋଟେଲ୍ ଓ ବାଣିଜ୍ୟ କ୍ଷେତ୍ରରେ ସର୍ବାଧିକ ୧୮.୨ ପ୍ରତିଶତର ହ୍ରାସ ଘଟିଛି। ନିର୍ମାଣ, ମାନୁଫାକ୍ଚରିଂ ଓ ଖଣି କ୍ଷେତ୍ର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
କରୋନା ମହାମାରୀର ପ୍ରଥମ ଲହର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ମାର୍ଚ୍ଚ ୨୫ରୁ ମେ' ୩ ପର୍ଯ୍ୟନ୍ତ ଦେଶକୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ରେ ରଖିଥିଲେ। ଏହା ପରେ ପର୍ଯ୍ୟାୟକ୍ରମେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋଟ ଉପରେ ସେହି ବର୍ଷ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ରହିଥିଲା। ସେଥିପାଇଁ ୨୦୨୦ର ଏପ୍ରିଲ୍-ଜୁନ୍ ତିନି ମାସରେ ଅର୍ଥନୀତିକୁ ବଡ଼ ଧରଣର ଝଟ୍କା ଲାଗିଥିଲା ଓ ଏହି ସମୟରେ ଅଭିବୃଦ୍ଧି ୨୪.୩୮% ହ୍ରାସ ପାଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ସ୍ଥିତିରେ ସୁଧାର ଘଟିଥିଲା ଓ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ସ୍ଥିତିରେ ସୁଧାର ଘଟିଥିଲା। ଅଭିବୃଦ୍ଧି ହାର ଏହି ତିନି ମାସରେ ବିଯୁକ୍ତ ୭.୩ ପ୍ରତିଶତ ଥିଲା। ଅକ୍ଟୋବର-ଡିସେମ୍ବରରେ ୦.୫% ଭଳି ଯୁକ୍ତାତ୍ମକ ଅଭିବୃଦ୍ଧି ହେବା ପରେ ଅର୍ଥନୀତି ବିଶାରଦମାନେ ଚକିତ ହୋଇଥିଲେ। ୨୦୨୧ର ଜାନୁଆରି-ମାର୍ଚ୍ଚରେ ସବୁ କ୍ଷେତ୍ରକୁ ଖୋଲି ଦିଆଯାଇଥିଲା। ଟିକସ ସଂଗ୍ରହ ଏହି ସମୟରେ ଉତ୍ସାହଜନକ ରହିଥିଲା। ତେଣୁ ଆଶା କରାଯାଉଥିଲା ଯେ ଅଭିବୃଦ୍ଧିରେ ଦ୍ରୁତ ସୁଧାର ହୋଇଥିବ। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି। ଏହି ସମୟରେ ଅର୍ଥନୀତି ଆଶା ଠାରୁ ଅଧିକ ଖରାପ ପ୍ରଦର୍ଶନ କରିଛି।
ସିଏସ୍ଓ ଆକଳନ କରିଥିଲା ଯେ ୨୦୨୦-୨୧ରେ ଅଭିବୃଦ୍ଧି ୮ ପ୍ରତିଶତ ହ୍ରାସ ପାଇବ। ଭାରତୀୟ ରିଜର୍ଭ ବ୍ୟାଙ୍କର ୭.୫%ର ପୂର୍ବାନୁମାନ ଲଗାଇଥିଲା। ମାତ୍ର ଅଧିକାଂଶ ସଂସ୍ଥା ଆକଳନ କରିଥିଲେ ଯେ ୨୦୨୧ର ଜାନୁଆରି-ମାର୍ଚ୍ଚରେ ଅର୍ଥନୀତିରେ ଦ୍ରୁତ ସୁଧାର ହୋଇଥିବ ଓ ସିଏସ୍ଓର ଆକଳନ ଭୁଲ ପ୍ରମାଣିତ ହେବ। କିନ୍ତୁ ସେମାନଙ୍କ ପୁର୍ବାନୁମାନ ଭୁଲ ହୋଇଯାଇଛି।