୫ ରାଜ୍ୟ ସ୍ଥିତି ସଙ୍ଗିନ୍, ଘରକୁ ଘର ବୁଲି ରୋଗୀଙ୍କୁ ଟ୍ରାକ୍‌ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ମହାରାଷ୍ଟ୍ରରେ ଦିନକରେ ୬୪ ହଜାର ମାମଲା
ୟୁପିରେ ପ୍ରତି ରବିବାର ଲକ୍‌ଡାଉନ୍‌
ଦିଲ୍ଲୀ, କର୍ଣ୍ଣାଟକ ସ୍ଥିତି ବିଗୁଡ଼ୁଛି

ନୂଆଦିଲ୍ଲୀ : ଦେଶରେ କରୋନାଭାଇରସ୍‌ ସଂକ୍ରମଣ ସ୍ଥିତି ଲଗାତାର ଜଟିଳ ହେବାରେ ଲାଗିଛି। ଆଜି ପୁଣି ୨ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହେବାପରେ ବିଭିନ୍ନ ରାଜ୍ୟରେ କଟକଣା ବଢ଼ିଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ପ୍ରାୟ ୬୪ ହଜାର ମାମଲା ସାମ୍ନାକୁ ଆସିଛି ଏବଂ ୩୯୮ ମୃତ୍ୟୁ ଘଟିଛି। ଏବେ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସଂକ୍ରମଣ ଚିନ୍ତା ବଢ଼ାଇଛି। ଉଭୟ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବାକୁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଆଜି ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ର ମୁଖ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି କେବଳ ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ସଂକ୍ରମଣ ମାମଲା ଦୈନିକ ୧ ଲକ୍ଷରୁ ଅଧିକ ରହୁଛି। ଏହି ୩ ରାଜ୍ୟରେ ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ମଧ୍ୟ ବଢ଼ୁଛି। ଛତିଶଗଡ଼ରେ ଗତ ୨ ସପ୍ତାହ ମଧ୍ୟରେ ୧୩୧ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ରାଜ୍ୟରେ ୨୪ ଘଣ୍ଟାରେ ୧୫୨୫୬ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଦୈନିକ ନୂଆ ମାମଲାରେ ୧୯.୨୫ ପ୍ରତିଶତ ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଏହି ରାଜ୍ୟମାନଙ୍କୁ ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌ ରଣନୀତିକୁ ୫ ଗୁଣା କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଦିଲ୍ଲୀରେ ବିଗତ ୨୪ ଘଣ୍ଟାରେ କରୋନାର ୧୯, ୪୮୬ ନୂଆ ମାମଲା ଆସିଛି ଏବଂ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ଅତି ଉଦ୍‌ବେଗଜନକ ଭାବେ ବଢ଼ୁଛି ଏବଂ ଆଜି ପ୍ରାୟ ୧୫ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ହୋଇଛି।

ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ରେ ଘରେ ଘରେ କୋଭିଡ୍‌ ରୋଗୀଙ୍କୁ ଟ୍ରାକ୍‌ କରିବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସବୁ ରାଜ୍ୟର ଅକ୍ସିଜେନ୍‌ ଏବଂ ଭେଣ୍ଟିଲେଟର ଦାବି ପୂରଣ କରାଯିବ ବୋଲି ସରକାର କହିଛନ୍ତି। ଶୁକ୍ରବାର ଉତ୍ତରପ୍ରଦେଶ ୨୭,୪୨୬ ସଂକ୍ରମଣ ମାମଲା ଦେଖିଛି ଏବଂ ୧୦୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ପ୍ରତି ରବିବାର ରାଜ୍ୟସାରା ଲକ୍‌ଡାଉନ୍‌ ହେବ ବୋଲି ଘୋଷଣା କରିଛନ୍ତି। ୟୁପିରେ ଥରେ ମାସ୍କ ନିୟମାବଳୀ ଉଲ୍ଳଂଘନ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ଦ୍ବିତୀୟ ଥର ଉଲ୍ଳଂଘନ କଲେ ୧୦ ହଜାର ଜରିମାନା ଦେବାକୁ ପଡ଼ିବ। ଲକ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ। ଗତକାଲି ରାଜ୍ୟ ସରକାର ମେ’ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର