କୋଭିଡ୍‌ ସଂକଟର ବିକଳ ସ୍ଥିତି, କେବଳ ୫୫% ପରିବାର ପାଇଁ ଦି’ଥର ଖାଇବା ସମ୍ଭବ ଥିଲା

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ ଯୋଗୁଁ ଦେଶରେ ଦେଖାଦେଇଥିବା ଆର୍ଥିକ ତଥା ସାମାଜିକ ସଂକଟ ବେଳେ ସାଧାରଣ ଲୋକଙ୍କୁ ନାନା ଅସୁବିଧା ସହି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଛି। ଏପରିକି ୫୫ ପ୍ରତିଶତ ପରିବାର ଦିନକୁ କେବଳ ଦୁଇଥର ଖାଇବା ପାଇଁ କୌଣସି ମତେ ସାଧନ ଯୋଗାଡ଼ କରିପାରିଥିଲେ ବୋଲି ଜଣାଯାଇଛି। ଗତ ଏପ୍ରିଲ ପହିଲାରୁ ମେ ୧୫ ଭିତରେ ୨୪ଟି ରାଜ୍ୟ ଏବଂ ଦିଲ୍ଲୀ ଓ ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ୫,୫୬୮ଟି ପରିବାର ସାମିଲ ଥିବା ଏକ ସର୍ବେକ୍ଷଣରୁ ଏଭଳି ବିକଳ ଚିତ୍ର ମିଳିଛି। ଶିଶୁମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ଵାର୍ଲ୍ଡ ଭିଜନ୍‌ ଏସିଆ ପାସିଫିକ୍ ଦ୍ବାରା କରାଯାଇଥିବା ଏହି ଅନୁଧ୍ୟାନରୁ ଶିଶୁମଙ୍ଗଳ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ଜଣାଯାଇଛି। ମୋଟାମୋଟି ଭାବେ କୋଭିଡ୍‌-୧୯ ଯୋଗୁଁ ୬୦ ପ୍ରତିଶତ ଗୃହକର୍ତ୍ତାଙ୍କ ଜୀବିକାନିର୍ବାହ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଏହି ସର୍ବେକ୍ଷଣର ସିଂହଭାଗ ଥିବା ଦିନ ମଜୁରିଆମାନେ ହିଁ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ସଂକ୍ରମଣ ରୋକିବାକୁ ସରକାର ଜାରି କରିଥିବା ଲକ୍‌ଡାଉନ୍‌ ଯୋଗୁଁ ସେମାନେ ସମ୍ପୂର୍ଣ୍ଣ ଜୀବିକା ହରାଇ ବସିଥିବା କହିଛନ୍ତି। ଏଭଳି ସ୍ଥିତି ଉଭୟ ସହର ଓ ଗ୍ରାମାଞ୍ଚଳ ଗରିବ ପରିବାର ପାଇଁ ସର୍ବାଧିକ ଚିନ୍ତାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଗୃହକର୍ତ୍ତା ସମ୍ପୂର୍ଣ୍ଣ ଜୀବିକା ହରାଇଥିବା କହିଛନ୍ତି। ଏପରିକି ମାତ୍ର ୫୫ ପ୍ରତିଶତ ପରିବାର ମୁହଁରେ ଦୈନିକ କେବଳ ଦୁଇଥର ଭୋଜନ ସମ୍ଭବ ହୋଇପାରିଛି। ସେହିପରି ୫୬ ପ୍ରତିଶତ ପରିବାର ସ୍ବାସ୍ଥ୍ୟପ୍ରଦ ସାମଗ୍ରୀ ଆଣିପାରୁଥିଲେ। ଆବଶ୍ୟକ ଜଳ ଏବଂ ପରିଚ୍ଛନ୍ନତା ସେମାନଙ୍କ ପାଇଁ ଆହ୍ବାନ ପାଲଟିଥିବା ବେଳେ ସେଥିଯୋଗୁଁ ଅପପୁଷ୍ଟି ଓ ରୋଗ ସଂକ୍ରମଣ ବଢ଼ିଥିବା ଆଶଙ୍କା କରାଯାଉଛି। ସେହିପରି ପରିବାରର ରୋଜଗାର ହ୍ରାସ, ବିଦ୍ୟାଳୟ ବନ୍ଦ, ସଂଗରୋଧ ବ୍ୟବସ୍ଥା ଆଦି ପରିବର୍ତ୍ତିତ ପରିସର ଶିଶୁମାନଙ୍କୁ ଶାରୀରିକ ଦଣ୍ଡ ଏବଂ ମାନସିକ ଆବେଗ ପ୍ରତି ତିରସ୍କାର ସଦୃଶ ହୋଇଥିଲା। ଏଥିପାଇଁ ୪୦ ପ୍ରତିଶତ ଶିଶୁ ଦୁଶ୍ଚିନ୍ତାରେ ରହିଥିବା ଜଣାଯାଇଛି। ସାଧାରଣତଃ କୌଣସି ଦୁର୍ବିପାକରେ ମହିଳା ଓ ଶିଶୁମାନେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୋଭିଡ୍‌ ସଂକଟ ମଧ୍ୟ ସେମାନଙ୍କ ପାଇଁ ଅନୁରୂପ ଦଶା ଆଣିଥିବା ସର୍ବେକ୍ଷଣରୁ ଜଣାଯାଇଛି।

ସମ୍ବନ୍ଧିତ ଖବର