ଟିକା ଆସୁ ବା ନ ଆସୁ, ୨୦୨୧ ମଧ୍ୟଭାଗ ସୁଦ୍ଧା ଦେଶର କରୋନା ସ୍ଥିତି ସ୍ୱାଭାବିକ ହୋଇଯାଇଥିବ : ବିଶେଷଜ୍ଞ

ନୂଆଦିଲ୍ଲୀ : ଟିକା ଆସୁ ବା ନ ଆସୁ, ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଭାରତରେ କରୋନା ପରିସ୍ଥିତି ସ୍ୱାଭାବିକ ହୋଇଯାଇଥିବ । ସେପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତ୍ୱ ପରି ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସର କମ୍ୟୁନିଟି ମେଡିସିନ ବିଭାଗ ମୁଖ୍ୟ ଡ. ସଂଜୟ ରାୟ ।

ସେ କହିଛନ୍ତି ଯେ ଆମେ ଏବେ କେବଳ ରୋଗ ଲକ୍ଷଣ ଥିବା ଲୋକମାନଙ୍କର କରୋନା ପରୀକ୍ଷା କରିବା ଉଚିତ । କେବଳ ଗୋଷ୍ଠୀ ସଂକ୍ରମଣ ଅଞ୍ଚଳରେ ସମସ୍ତଙ୍କର ପରୀକ୍ଷା କରାଯାଇପାରେ । ଆହୁରି ମଧ୍ୟ ଆମକୁ କରୋନା ରୋଗୀମାନଙ୍କୁ ଏକାନ୍ତବାସରେ ରଖିବା ଅପେକ୍ଷା ମୃତ୍ୟୁହାର କିପରି ହ୍ରାସ କରାଯିବ ତାହା ଉପରେ ଫୋକସ କରିବା ଆବଶ୍ୟକ ।

ସେ କହିଛନ୍ତି ଯେ ଗତ ଏପ୍ରିଲ-ମେ ମାସରେ ଆଇସିଏମଆର ପକ୍ଷରୁ କରାଯାଇଥିବା ସେରୋଲେଜିକାଲ ସର୍ଭେରୁ ଜଣାପଡ଼ିଛି ଯେ ସେତେବେଳେ ଭାରତରେ ପ୍ରାୟ ୬୪ ଲକ୍ଷ ଲୋକ କରୋନା ସଂକ୍ରମିତ ଥିଲେ । ତେବେ ସେରୋ ସର୍ଭେ ସଂକ୍ରମଣର ଗତିକୁ ଦର୍ଶାଇଥାଏ, କିନ୍ତୁ ପରୀକ୍ଷା ଦ୍ୱାରା ପ୍ରକୃତରେ କେତେଜଣ ସଂକ୍ରମିତ ସେ ତଥ୍ୟ ଜଣାପଡ଼ିଥାଏ ।

ଭାରତରେ ପରୀକ୍ଷଣ ଚାଲିଥିବା କରୋନା ଟିକା ସଂପର୍କରେ ସେ କହିଛନ୍ତି ଯେ ଆସନ୍ତା ବର୍ଷ ମଧ୍ୟଭାଗସୁଦ୍ଧା କରୋନା ଟିକା ଆସିଯାଇଥିବ । ଏବେ ଭାରତରେ କେତେକ କରୋନା ଟିକାର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଚାଲିଛି ।

ସମ୍ବନ୍ଧିତ ଖବର