ନୂଆଦିଲ୍ଲୀ: କରୋନା ପରୀକ୍ଷା କରିବା ହେଲା ଶସ୍ତା । ଏବେ ଖୁବ କମ ଟଙ୍କାରେ ଆପଣ କରାଇପାରିବେ ନିଜର କରୋନା ପରୀକ୍ଷା। ପୂର୍ବରୁ କରୋନା ପରୀକ୍ଷା ପାଇଁ ଲୋକଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏବେ ମାତ୍ର ୩୦୦ଟଙ୍କାରେ କରୋନା ପରୀକ୍ଷା କରିହେବ। ତେବେ ଏହି ସୁବିଧାର ଲାଭ କେବଳ ଦିଲ୍ଲୀବାସୀ ଉଠାଇପାରିବେ। ଏବେ ଆରଟି- ପିସିଆର ପରୀକ୍ଷା ଦାମ ହ୍ରାସ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଦାମ ଶସ୍ତା କରି ସରକାର କହିଛନ୍ତି ଯେ ଘରୋଇ ଲ୍ୟାବ କିମ୍ବା ଡାକ୍ତରଖାନାରେ ଆରଟି- ପିସିଆର ପରୀକ୍ଷା ପାଇଁ ଲୋକଙ୍କୁ ଏବେ ମାତ୍ର ୩୦୦ ଟଙ୍କା ଦେବାକୁ ହେବ। ଏହାପୂର୍ବରୁ ଏହାର ମୂଲ୍ୟ ୫୦୦ଟଙ୍କା ଥିଲା।

Advertisment

ଏଥି ସହିତ ଘରୋଇ ଲ୍ୟାବ କିମ୍ବା ହସ୍ପିଟାଲ ପକ୍ଷରୁ କର୍ମଚାରୀ ଆରଟି-ପିସିଆର ପାଇଁ ଘରୁ ଯାଇ ନମୁନା ସଂଗ୍ରହ କଲେ ଲୋକଙ୍କୁ ୫୦୦ ଟଙ୍କା ଦେବାକୁ ହେବ। ଏଥିପାଇଁ ପୂର୍ବରୁ ଲୋକଙ୍କୁ ୭୦୦ଟଙ୍କା ଦେବାକୁ ପଡୁଥିଲା। ଏହା ବ୍ୟତୀତ ରାପିଡ୍ ଆଣ୍ଟିଜେନ୍ ଡିଟେକସନ୍ ଟେଷ୍ଟର ପାଇଁ ଏବେ ୧୦୦ ଟଙ୍କା ସ୍ଥିର କରାଯାଇଛି, ଏଥିପାଇଁ ପୂର୍ବରୁ ଲୋକଙ୍କୁ ୩୦୦ଟଙ୍କା ଦେବାକୁ ପଡୁଥିଲା।

ତେବେ ଗତ ୨୪ଘଣ୍ଟା ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ୧୨,୩୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ଏହା ସହ ଦିଲ୍ଲୀରେ ଏବେ ସକରାତ୍ମକତା ହାର ୨୧.୪୮% ଅଟେ। ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ସକାରାତ୍ମକତା ହାର ମଧ୍ୟ ହ୍ରାସ ପାଇଛି। ତେବେ ଗତ ୨୪ଘଣ୍ଟା ମଧ୍ୟରେ ଏଠାରେ କରୋନା ସଂକ୍ରମଣ ହେତୁ ୪୩ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି, ଯାହା ତୃତୀୟ ଲହରରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ଅ‌ଟେ।