କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ହସ୍‌ପିଟାଲ ମହିଳାଙ୍କ ପାଖକୁ ପଠାଇଲା ୨୬ଲକ୍ଷ ଟଙ୍କାର ବିଲ୍‌

ନୂଆଦିଲ୍ଲୀ: ଜଣେ ମହିଳାଙ୍କ କରୋନାଭାଇରସ୍‌ ସଂକ୍ରମଣର ପରୀକ୍ଷା ଓ ଚିକିତ୍ସା କରିବା ପାଇଁ ହସ୍‌ପିଟାଲ ପକ୍ଷରୁ ତାଙ୍କ ପାଖକୁ ୨୬ଲକ୍ଷ ୪୧ହଜାର ଟଙ୍କାର ବିଲ୍ ପଠାଯାଇଥିବା କୁହାଯାଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଆମେରିକାରେ ବସବାସ କରୁଥିବା ଫେବ୍ରୁଆରି ଶେଷରେ ଡେନି ଏସ୍କିନି ନାମକ ମହିଳାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏଥିସହିତ ନିଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେବା ସହିତ ମାଇଗ୍ରେନ୍‌ ବି ରହିଥିଲା। ଯାହା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ଡାକ୍ତରଙ୍କୁ ଲାଗିଥିଲା କି ମହିଳାଙ୍କୁ ନୂଆ ଔଷଧ ଦିଆଯିବାରୁ ତାଙ୍କର ଏଭଳି ଅସୁବିଧା ହୋଇଛି। ଏହାପରେ ମହିଳାଙ୍କୁ ହସ୍‌ପିଟାଲ୍‌ର ଜରୁରୀକାଳିନ ଚିକିତ୍ସା ପାଇଁ ପଠା ଯାଇଥିଲା।

ପ୍ରାରମ୍ଭିକ ଯାଞ୍ଚରୁ ଡାକ୍ତର ଏକ୍ସିନିଙ୍କୁ ନିମୋନିଆ ହୋଇଛି କହି ଘରକୁ ପଠାଇ ଦେଇଥିଲେ। କିନ୍ତୁ କିଛିଦିନ ପରେ ମହିଳାଙ୍କୁ ଜ୍ୱର ହେବା ସହିତ କାଶ ଲାଗି ରହିଥିଲା। ଜ୍ୱର ହେବାର ୭ଦିନ ପରେ ମହିଳା ହସ୍‌ପିଟାଲ୍‌ ଯିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇ, ଘରକୁ ପଠାଇ ଦିଆଯାଇଥିଲା। ପରୀକ୍ଷାରେ ତିନିଦିନ ପରେ ମହିଳା କରୋନାଭାଇରସ୍‌ରେ ସଂକ୍ରମିତ ଜଣାପଡ଼ିଥିଲା। କିଛିଦିନ ପରେ ହସ୍‌ପିଟାଲ କର୍ତ୍ତୃପକ୍ଷ ପରୀକ୍ଷା ଓ ଚିକିତ୍ସା ପାଇଁ ମହିଳାଙ୍କ ପାଖକୁ ୨୬ଲକ୍ଷରୁ ଅଧିକ ଟଙ୍କାର ବିଲ୍‌ ପଠାଇ ଦେଇଥିଲେ। ଏହାକୁ ଦେଖି ଏକ୍ସିନି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି।

ମାର୍ଚ୍ଚ ୧୮ରେ ଆମେରିକା ଫ୍ୟାମିଲିଜ୍ ଫାର୍ଷ୍ଟ କରୋନାଭାଇରସ୍‌ ରେସ୍‌ପନ୍ସ ଆକ୍ଟକୁ ଲାଗୁ କରିଛି। ଏହା ଆଧାରରେ କରୋନାଭାଇରସ ଯାଞ୍ଚ ମାଗଣାରେ କରାଯିବ। କିନ୍ତୁ ଏହି ନିୟମରେ କରୋନା ଚିକିତ୍ସା ପାଇଁ ଖର୍ଚ୍ଚକୁ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

ଭାରତରେ ଏଯାବତ କରୋନା ସଂକ୍ରମଣ ସଂଖ୍ୟା ୨୮୫ରେ ପହଞ୍ଚିଥିବା ବେଳେ ୬୭୦୦ଜଣ ଲୋକ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି। ବିଶ୍ୱରେ ସଂକ୍ରମଣଙ୍କ ସଂଖ୍ୟା ଶନିବାର ସକାଳ ପର୍ଯ୍ୟନ୍ତ ୨,୭୬,୦୦୦ରୁ ଊର୍ଧ୍ୱ ଥିବା ଜଣାପଡ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧,୪୦୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର