ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମିତ ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦ ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ବିନା ମାସ୍କରେ ଧରାଯାଇଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବା ସହିତ କରୋନା ପରୀକ୍ଷା ମଧ୍ୟ କରାଯିବ | ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ଏହି ନିଷ୍ପତ୍ତି ନେଇଛି | ମିଳିଥିବା ସୂଚନା ମୁତାବକ ଅହମ୍ମଦାବାଦ ମ୍ୟୁନିସିପାଲଟି କର୍ପୋରେସନର କର୍ମଚାରୀଙ୍କ ସହ ସ୍ଥାନୀୟ ପୁଲିସ ଏବେ ଲୋକଙ୍କ ଉପରେ ନଜର ରଖିବେ |

Advertisment

ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ସହ କରୋନା ପରୀକ୍ଷା କରାଯିବ | ରାଜ୍ୟରେ କରୋନା ମାମଲା ବଢ଼ୁଥିବାରୁ ଗୁଜୁରାଟ ସରକାର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ନିଷ୍ପତ୍ତିରୁ ଓହରି ଯାଇଛନ୍ତି | ଅହମ୍ମଦାବାଦରେ ପ୍ରାୟ ୧୦୦ଟି ଅବରୋଧ ଅଂଚଳରେ ସ୍ଥିତି ଜଟିଳ ହେବାରୁ ଗତକାଲି ଠାରୁ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

ଏହି ସମୟ ମଧ୍ୟରେ କେବଳ କ୍ଷୀର ଏବଂ ଔଷଧ ଦୋକାନ ଖୋଲା ରହିବ |ବିଶେଷ କରି ଅହମ୍ମଦାବାଦରେ ଦୀପାବଳି ପର୍ବ ପରେ କରୋନା ଭାଇରସ୍ ମାମଲା ତୀବ୍ର ବୃଦ୍ଧି ପାଇଛି। ପୂର୍ବରୁ ୨୩ ନଭେମ୍ବରରୁ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କରୋନା ମାମଲା ବଢ଼ୁଥିବାରୁ ସରକାର ବର୍ତ୍ତମାନ ଏହି ନିଷ୍ପତ୍ତିରୁ ଓହରି ଯାଇଛନ୍ତି |